ଜନଗଣନାବେଳେ ମାତୃଭାଷା ସମ୍ବଲପୁରୀ ଲେଖିବାକୁ ଆହ୍ବାନ

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ଚଳିତବର୍ଷ ଜନଗଣନା ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ତଥା ନିକଟବର୍ତ୍ତୀ ଅଞ୍ଚଳର ଅଧିବାସୀ ଜନଗଣନା ସମୟରେ ଉଦ୍ଦିଷ୍ଟ କାଗଜପତ୍ରରେ ନିଜ ମାତୃଭାଷା ସମ୍ବଲପୁରୀ ବୋଲି ଉଲ୍ଲେଖ କରିବାକୁ ହେବ। ଏହାଦ୍ୱାରା ସରକାରଙ୍କ ନିକଟରେ ନିର୍ଭୁଲ ଓ ନିର୍ଦ୍ଧିଷ୍ଟ ତଥ୍ୟ ପହଞ୍ଚତ୍ପାରିବ । ସମ୍ବଲପୁରୀ ଭାଷା ସାମ୍ବିଧାନିକ ମାନ୍ୟତା ପାଇବା ଦିଗ ଉନ୍ମୁକ୍ତ ହେବା ସହିତ ଦେଢ଼ କୋଟି ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ ବୋଲି ଶୁକ୍ରବାର ବିଜେପୁର ନିକଟସ୍ଥ ପଡ଼ା ଗ୍ରାମରେ ଆୟୋଜିତ ଜାତୀୟ ସମ୍ବଲପୁରୀ ଭେଟ୍‌ଘାଟରେ ମତପ୍ରକାଶ ପାଇଛି। ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ମନୋହର ସାଂସ୍କୃତିକ ସଂସଦର ୩୫ତମ ବଛରକିଆ ଉଛବ ଏବଂ ୫୭ତମ ଜାତୀୟ ସମ୍ବଲପୁରୀ ଭେଟଘାଟ, ପଡ଼ା ଗ୍ରାମର ପ୍ରକାଶ ସାଂସ୍କୃତିକ ସଂସଦର ଆୟୋଜନକ୍ରମେ ଅନୁଷ୍ଠିତ ହୋଇଥିଲା। ସଙ୍ଗଠକ ଅଶୋକ କୁମାର ପୂଜାହାରୀଙ୍କ ସଭାପତିତ୍ୱ ଓ ଛନ୍ଦ କବି ସୁରେଶ ଚନ୍ଦ୍ର ଭୋଇଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ କବି ସମ୍ମିଳନୀ ହୋଇଥିଲା। ଏଥିରେ କବି ନିରଞ୍ଜନ ପଣ୍ଡା, ଗୌରଚରଣ ପ୍ରଧାନ, ମୋହନ ସିଂ କହ୍ନେଇ, ବିଶିକେଶନ ମେହେର, ସଙ୍ଗଠକ ରମେଶ ମହାପାତ୍ର, ହରିଲାଲ ସାହୁ, ସରପଞ୍ଚ ଶୋଭା ମେହେର ଅତିଥି ଭାବେ ଯୋଗ ଦେଇଥିଲେ। କବି କିଶୋର ପାତ୍ର ସ୍ବାଗତ ସଙ୍ଗୀତ ଗାନ, ଦିଲ୍ଲୀପ କୁମାର ଦେବତା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ଏବଂ ଅଧ୍ୟାପକ ସୁକୁମାର ଭୋଇ ଓ ଡଃ ନାରାୟଣ ଭୋଇ କବିତା ସଂଯୋଜନା କରିଥିଲେ। ଭାଷା ଗବେଷକ ତଥା ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଜୟନ୍ତୀ ପାଳନ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା। ଏଥିରେ ପ୍ରଦୀପ ପଧାନ ସ୍ବାଗତ ଭାଷଣ ଦେଇଥିବାବେଳେ ତେଜରୁ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉମେଶ ପ୍ରଧାନ ସଂଯୋଜନା କରିଥିବା ବେଳେ ପଦ୍ମଶ୍ରୀ ଗୁରୁ ଭାଗବତ ପଧାନ, ଉପଦେଷ୍ଟା ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସୁଭାଷ ଚନ୍ଦ୍ର ଭୁଏଙ୍କ ଏକପଦୀ କବିତା ସଂକଳନ ଭାବ ଅମୃତ ଏବଂ ଚିତ୍ରଶିଳ୍ପୀ ଗୌରଚରଣ ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ବୀର ମନୋହର ସିଂଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଥିଲା। ତୃତୀୟ ଅଧିବେଶନରେ ପଦ୍ମପୁର ‘ଲୁ’ ଅନୁଷ୍ଠାନର ନାଟକ ‘ଅନ୍ଧାରନୁଁ ଉକିଆ ତକ୍‌’ ଏବଂ ଭେଡେନ ରାମଲୀଳା ପରିବାର ଦ୍ୱାରା ପ୍ରସ୍ତୁତ ନାଟକ ‘ବୀର ମନୋହର ସିଂ’ ପରିବେଷିତ ହୋଇଥିଲା। ସମଲପୁରୀ ଗୁଛା ତରଫରୁ ମାନସ ଦାଶ ବହି ପସରା ପ୍ରଦର୍ଶନ କରିଥିଲେ। ପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ଭୋଇ, ପ୍ରମୋଦ ପଧାନ, ସଦାନନ୍ଦ ପଧାନ, ଡଃ ଭୋଳାନାଥ ମେହେର, ସୁରେନ୍ଦ୍ର ଦାଶ, ଅକ୍ଷୟ ଦାଶ, ଟିକେଲାଲ ପଧାନ, ସୁମନ୍ତ ପଧାନ, ଛାୟାକାନ୍ତ ଦେବତା, ଅମୀୟ ପ୍ରସାଦ ଭୋଇ, ଅନନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ। ସଙ୍ଗଠକ ଲଳିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – The Largest & Most Trusted Odia Daily