ତାଜିକିସ୍ତାନ,୮।୯: ଭାରତୀୟ ଫୁଟବଲ ଦଳ ସିଏଏଫଏ ନେସନ୍ସ କପ ୨୦୨୫ରେ ଐତିହାସିକ ସଫଳତା ହାସଲ କରି ଓମାନକୁ ପେନାଲଟି ଶୁଟଆଉଟରେ ୩-୨ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। ସୋମବାର ହିସୋର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ନିୟମିତ ଓ ଅତିରିକ୍ତ ସମୟରେ ଖେଳ ୧-୧ରେ ସମାନ ରହିଥିଲା।
ଓମାନର ଜାମୀଲ ଅଲ ଇୟାହମାଦି ୫୫ତମ ମିନିଟରେ ଗୋଲ ଦେଇ ନିଜ ଦଳକୁ ଆଗୁଆ କରିଥିଲେ, କିନ୍ତୁ ଭାରତର ଉଦନ୍ତ ସିଂହ ୮୦ତମ ମିନିଟରେ ରାହୁଲ ଭେକେଙ୍କ ଲମ୍ବା ଥ୍ରୋରୁ ଡେନିଶ ଫାରୁକଙ୍କ ଫ୍ଲିକ ମାଧ୍ୟମରେ ଗୋଲ କରି ସ୍କୋର ସମାନ କରିଥିଲେ।
ଶେଷରେ ପେନାଲଟି ଶୁଟଆଉଟରେ ଭାରତର ଅଧିନାୟକ ଗୁରପ୍ରୀତ ସିଂହ ସନ୍ଧୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସେଭ କରିଥିବା ବେଳେ ଲାଲିଆନଜୁଆଲା ଛଙ୍ଗତେ, ରାହୁଲ ଭେକେ ଓ ଜିଥିନ ଏମଏସ ଗୋଲ ସ୍କୋର କରିଥିଲେ। ଓମାନର ହାରିବ ଅଲ ସାଦି ଓ ଆହମେଦ ଅଲ କାବିଙ୍କ ମିସ ଓ ଗୁରପ୍ରୀତଙ୍କ ଶେଷ ସେଭ ଭାରତକୁ ବିଜୟୀ କରାଇଥିଲା।
ଏହା ଭାରତର ଓମାନ ବିରୁଦ୍ଧରେ ୩୧ ବର୍ଷ ପରେ ପ୍ରଥମ ବିଜୟ ଏବଂ ସିଏଏଫଏ ନେସନ୍ସ କପରେ ପ୍ରଥମ ପ୍ରଦର୍ଶନରେ ଏକ ଐତିହାସିକ ସଫଳତା। କୋଚ ଖାଲିଦ ଜାମିଲଙ୍କ ନେତୃତ୍ୱରେ ଭାରତ ତାଜିକିସ୍ତାନକୁ ୨-୧ରେ ହରାଇଥିବା ବେଳେ ଇରାନ ବିରୁଦ୍ଧରେ ୦-୩ ରେ ପରାଜୟ ବରଣ କରିଥିଲା।