Categories: ବାଣିଜ୍ୟ

ଏଲ୍‌ଆଇସିରେ ୨୦% ଏଫ୍‌ଡିଆଇକୁ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ, ୨୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ବୟଂଚାଳିତ ମାର୍ଗ ଜରିଆରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫ୍‌ଡିଆଇ)କୁ ୨୦% ପର୍ଯ୍ୟନ୍ତ ଅନୁମତି ଦେବାକୁ ଏକ ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଅନୁମୋଦନ ଦିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ବିଦେଶୀ ନିବେଶକମାନଙ୍କ ପାଇଁ ମଧ୍ୟ ଏଲ୍‌ଆଇସିର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ)ର ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି। ଯେଉଁମାନେ ଆସନ୍ତା ମାସରେ ହେବାକୁ ଥିବା ଏଲ୍‌ଆଇସି ଆଇପିଓରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହେବ ବୋଲି ଆକଳନ କରାଯାଇଛି। ଏହା ଭାରତର ସର୍ବବୃହତ୍‌ ଅଫର ଭାବେ ବିବେଚନା କରାଯାଉଛି। ଉକ୍ତ ବୈଠକରେ ଏଲ୍‌ଆଇସି ଆଇପିଓ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚରେ ଏଲ୍‌ଆଇସି ଦେଶର ସର୍ବବୃହତ୍‌ ଆଇପିଓ ଲଞ୍ଚ୍‌ କରିବାକୁ ଯାଉଛି। ଏଫ୍‌ଡିଆଇ ପଲିସି ଅନୁସାରେ ଦେଶର ଇନ୍‌ସ୍ୟୁରାନ୍ସ ସେକ୍ଟରରେ ୭୪% ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜିନିବେଶ କରାଯାଇପାରିବ ବୋଲି ନିୟମ ରହିଛି। ତେବେ ସରକାରଙ୍କ ଭିନ୍ନ ଏକ ଆକ୍ଟ ଅନୁସାରେ ଏହି ନିୟମ ଏଲ୍‌ଆଇସି ପାଇଁ ଲାଗୁ ହେବନାହିଁ।

Share