କେନ୍ଦ୍ର କ୍ୟାବିନେଟ୍‌ରରେ ବଡ଼ ନିଷ୍ପତ୍ତି: ଶ୍ରୀହରିକୋଟାରେ ନିର୍ମାଣ ହେବ ତୃତୀୟ ଲଞ୍ଚ୍‌ପ୍ୟାଡ୍‌

ନୂଆଦିଲ୍ଲୀ,୧୬।୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ୍‌ପ୍ୟାଡ୍‌ (ଟିଏଲ୍‌ପି) ନିର୍ମାଣ ହେବାକୁ ଯାଉଛି। ଉକ୍ତ ଲଞ୍ଚ୍‌ପ୍ୟାଡ୍‌ ସମେତ ଆନୁଷଙ୍ଗିକ ସୁବିଧା ପାଇଁ ୩,୯୮୫ କୋଟି ଟଙ୍କା ନିବେଶ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟରେ ଗୁରୁବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ୪ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମହାକାଶ କେନ୍ଦ୍ର ସ୍ଥାପନ, ଗଗନୟାନ ଏବଂ ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ସମେତ ଭବିଷ୍ୟତରେ ଅଧିକ ଓଜନଦାର ସ୍ପେସ୍‌କ୍ରାଫ୍ଟ ପଠାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବାରୁ ତୃତୀୟ ଲଞ୍ଚ୍‌ପ୍ୟାଡ୍‌ ନିର୍ମାଣ ଜରୁରୀ ହୋଇପଡ଼ିଛି। ୩୦ ହଜାର ଟନ୍‌ ଓଜନର ସ୍ପେସ୍‌କ୍ରାଫ୍ଟକୁ ପୃଥିବୀର ନିମ୍ନ କକ୍ଷପଥକୁ ପ୍ରେରଣ କରିବାରେ ଏହି ଲଞ୍ଚ୍‌ପ୍ୟାଡ୍‌ ସମର୍ଥ ହେବ।

ବର୍ତ୍ତମାନର ଲଞ୍ଚ୍‌ପ୍ୟାଡ୍‌ ସାମର୍ଥ୍ୟ ୮,୦୦୦ ଟନ୍‌ ରହିଛି। ଇସ୍ରୋ ପରବର୍ତ୍ତୀ ପିଢ଼ିର ଲଞ୍ଚ୍‌ ଭେହିକିଲ୍‌(ଏନ୍‌ଜିଏଲ୍‌ଭି)ର ବିକାଶ କରୁଛି। ଏହାର ଉଚ୍ଚତା ୯୧ ମିଟର ରହିବ, ଯାହାକି ୭୨ ମିଟର ଉଚ୍ଚତାବିଶିଷ୍ଟ କୁତବ୍‌ମିନାରଠାରୁ ଅଧିକ ଉଚ୍ଚ ରହିବ।

Share