ନୂଆଦିଲ୍ଲୀ, ୧୮ା୮: ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାଜପା ସଂସଦୀୟ ବୋର୍ଡ ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମିତ ଚନ୍ଦ୍ରପୁରମ୍ ପୋନ୍ନୁସ୍ବାମୀ ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୩ ଫେବୃଆରୀ ୧୮ରୁ ୨୦୨୪ ଜୁଲାଇ ୩୦ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିଲେ। ଏଥିସହିତ ସେ ୨୦୨୪ ମାର୍ଚ୍ଚରୁ ଜୁଲାଇ ତେଲଙ୍ଗାନା ରାଜ୍ୟପାଳ ଏବଂ ପଣ୍ଡିଚେରିର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ରାଧାକ୍ରିଷ୍ଣନ ୧୯୯୮ ଏବଂ ୧୯୯୯ରେ ଭାଜପା ସଦସ୍ୟ ଭାବେ କୋଏମ୍ବାଟୁରରୁ ୨ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ପାଇଁ ଭାଜପାର ରାଜ୍ୟ ସଭାପତି ରହିଥିଲେ। ମାତ୍ର ୧୬ ବର୍ଷ ବୟସରୁ ସେ ଆର୍ଏସ୍ଏସ୍ ଏବଂ ଜନସଂଘ ସହ ଜଡ଼ିତ ରହିଥିଲେ।