ଭଞ୍ଜନଗର,୨୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଓ ସହରତଳି ଅଞ୍ଚଳରେ ଅଧିକାଂଶ ସମୟରେ ଦ୍ରୁତ ବାଇକ ଚାଳନା ଦେଖିବାକୁ ମିଳୁଛି। ଏଥିସହ ଅନ୍ୟାନ୍ୟ ଯାନବାହାନ ଗୁଡ଼ିକ ମଧ୍ୟ ସହର ଭିତରେ ଦ୍ରୁତ ଗତିରେ ଚଳ ପ୍ରଚଳ କରୁଛନ୍ତି। ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ପ୍ରତ୍ୟେହ ସହର ଓ ଅନ୍ୟ ଅଞ୍ଚଳରେ ଛୋଟ ବଡ ଦୁର୍ଘଟଣା ଘଟୁଛି। ଏହିଭଳି ଘଟଣା କ୍ରମରେ ଶୁକ୍ରବାର ରାତି ପ୍ରାୟ ୭ ଟା ୩୦ ମିନିଟ ସମୟରେ ଭଞ୍ଜନଗର ସହର ରେଡକ୍ରସ ରୋଡ଼ ରେ ଜଣେ ଯୁବକ ଦ୍ରୁତ ଗତିରେ ବାଇକରେ ଯାଉଥିଲେ। ଏହି ସମୟରେ ରାସ୍ତାକଡ଼ରେ ଯାଉଥିବା ଜଣେ ବ୍ୟବସାୟୀ ଆହତ ହୋଇଥିଲେ । ଏହାପରେ ସଂପୃକ୍ତ ଅଞ୍ଚଳବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିବା ଜଣାପଡିଛି । ରେଡ କ୍ରସ ରୋଡ ଭିଡ ରାସ୍ତା। ତେଣୁ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ଉପରେ ନଜର ରଖିବା ପାଇଁ ସାହି ବାସିନ୍ଦା ଅନେକ ସମୟରେ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ପୋଲିସ ବିଭିନ୍ନ କାରଣ ଯୋଗୁଁ ଦ୍ରୁତ ଗାଡ଼ି ଚାଳକଙ୍କୁ କାବୁ କରି ପାରୁନାହିଁ। ଏହିଭଳି ପରିସ୍ଥିତିରେ ଆଜି ଦୁର୍ଘଟଣା ପରେ ଅଞ୍ଚଳବାସି ରେଡକ୍ରସ ରୋଡର ପାର୍କ ଛକରେ ରାସ୍ତାରୋକ କରିଥିଲେ। ପ୍ରାୟ ୧ ଘଣ୍ଟା ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଏହାପରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଛି।