ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ହୋଇପଡିଛି। ସୋମବାର ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ କରି ୭ କେଜିର ରୁପା ଅଳଙ୍କାରକୁ ଲୁଟି ନେଇଛନ୍ତି।
ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ଗଡସାହିର ଅଭିମନ୍ୟୁ ନାୟକ(୫୫) ସବୁଦିନ ଭଳି ରୁପା ଅଳଙ୍କାରମାନ ଧରି ବ୍ୟବସାୟ ଲାଗି ନିଜ ମୋଟର ସାଇକେଲ ଯୋଗେ ଯିବାବେଳେ ହତାପୁର-ଖୋସାଳ ପଲ୍ଲୀ ରାସ୍ତାରେ ଦୁଇଜଣ ଯୁବକ ଏକ ବାଇକରେ ପଛ ପଟୁ ଆସି ତାଙ୍କୁ ଆକ୍ରମଣ କରି ରୁପା ଅଳଙ୍କାର ବ୍ୟାଗ୍ଟିକୁ ଲୁଟିନେଇଥିଲେ।
ଆକ୍ରମଣର ଶିକାର ହୋଇ ବ୍ୟବସାୟୀ ରକ୍ତଜୁଡୁବୁଡୁ ଅବସ୍ଥାରେ ଅଭିମନ୍ୟୁ ତଳେ ପଡି ଚିତ୍କାର କରିଥିଲେ। ଏହାଶୁଣି ନିକଟସ୍ଥ ଜମିରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତି ଦୌଡି ଆସି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏହାକୁ ନେଇ ଅଭିମନ୍ୟୁ ପୋଲିସରେ ଲିଖିତ ଅଭିଯୋଗ କରିଥିବାବେଳେ ରାସ୍ତାରେ ବାରମ୍ବାର ବ୍ୟବସାୟୀଙ୍କ ଉପରେ ଏପରି ଆକ୍ରମଣ ଏବଂ ଲୁଟକୁ ନେଇ ବହୁ ବ୍ୟବସାୟୀ ଥାନାକୁ ଆସି କ୍ଷୋଭ ପ୍ରକାଶ କରିଥିଲେ। ପୋଲିସ ଏଥିପ୍ରତି ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।