ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଇରାନ ଯେତେବେଳେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ଭାରତର କୋଣ ଅନୁକୋଣରୁ ସାହାଯ୍ୟର ହାତ ବଢ଼ାଇଥିଲେ ସାଧାରଣ ଜନତା। ଭାରତୀୟଙ୍କ ଏହି ଅକୁଣ୍ଠ ସମର୍ଥନ ଏବଂ ଅତୁଟ ଭଲପାଇବା ଦେଖି ଏବେ ଭାରତରେ ଥିବା ଇରାନ ଦୂତାବାସ ଏକ ଭାବପ୍ରବଣ ସନ୍ଦେଶ ଜାରି କରିଛି।
ଇରାନ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆର୍ଥିକ ସହାୟତା ପାଇଁ ଜାରି କରାଯାଇଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଏବଂ କ୍ୟୁଆର୍ (QR) କୋଡ୍କୁ ବନ୍ଦ କରି ଦିଆଯାଇଛି। ଇରାନ ଏକ ସ୍ପଷ୍ଟ ସନ୍ଦେଶ ଦେଇ କହିଛି ଯେ, ଭାରତର ଜନତା ଆଶାଠାରୁ ଅଧିକ ସହଯୋଗ କରିସାରିଛନ୍ତି, ତେଣୁ ଏବେ ଆଉ ଅଧିକ ଅର୍ଥ ପଠାଇବାର ଆବଶ୍ୟକତା ନାହିଁ।
ସୋସିଆଲ ମିଡିଆରେ ଇରାନ କହିଛି, “ଭାରତର ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରଶଂସନୀୟ ସହଯୋଗ ଏବଂ ଅତୁଟ ସମର୍ଥନ ପାଇଁ ଆମେ ହୃଦୟରୁ କୃତଜ୍ଞ। ଆମେ ସୂଚନା ଦେଉଛୁ ଯେ ସହାୟତା ପାଇଁ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକୁ ଏବେ ବନ୍ଦ କରାଯାଇଛି। ଦୟାକରି ଆଉ ଅର୍ଥ ପଠାନ୍ତୁ ନାହିଁ।”
ତେବେ ସହାୟତା ପ୍ରଦାନ କରିବାରେ କାଶ୍ମୀରର ଦୃଶ୍ୟ ସାରା ବିଶ୍ୱକୁ ଚକିତ କରିଛି। ଲୋକମାନେ କେବଳ ଟଙ୍କା ନୁହେଁ, ବରଂ ସୁନା, ରୁପା ଏବଂ ନିଜ ଘରର ପିତ୍ତଳ ଓ ତମ୍ବା ବାସନକୁସନ ମଧ୍ୟ ଇରାନକୁ ଦାନ କରିଦେଇଛନ୍ତି। କାଶ୍ମୀରର ଛୋଟ ଛୋଟ ଝିଅମାନେ ନିଜ କାନରୁ ସୁନା ଫୁଲ ଖୋଲି ଦେଇଥିବା ବେଳେ, ଅନେକ ଶିଶୁ ନିଜର ବର୍ଷ ବର୍ଷର ଜମା ପୁଞ୍ଜି ବା ’ମାଟି ହୁଣ୍ଡି’ (Guillak) ଦୂତାବାସକୁ ହସ୍ତାନ୍ତର କରିଛନ୍ତି।
ଦୂତାବାସ ଜଣେ ବୃଦ୍ଧାଙ୍କ ଫଟୋ ଶେୟାର କରିଛି, ଯିଏ ନିଜ ପୂର୍ବପୁରୁଷଙ୍କ ଶେଷ ସ୍ମୃତି ଭାବେ ରଖିଥିବା ଅଳଙ୍କାରକୁ ମଧ୍ୟ ଇରାନ ପାଇଁ ଉତ୍ସର୍ଗ କରିଦେଇଛନ୍ତି। ଭାରତରୁ ଏହିପରି ଭାବେ କୋଟି କୋଟି ଟଙ୍କାର ସହାୟତା ରାଶି ଏକତ୍ରିତ ହୋଇଛି, ଯାହା ଭାରତ ଓ ଇରାନ ମଧ୍ୟରେ ଥିବା ସାଂସ୍କୃତିକ ଏବଂ ଆବେଗିକ ସମ୍ପର୍କକୁ ଆହୁରି ମଜବୁତ କରିଛି।
Dharitri – Odisha’s No.1 Odia Daily