ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ (ରେଲ ନୀର)ର ମୂଲ୍ୟ କମାଇ ଦିଆଯାଇଛି। ଏହାଦ୍ୱାରା ଯାତ୍ରୀଙ୍କ ପକେଟ ଉପରେ ବୋଝ କମିବ ଏବଂ ଯାତ୍ରା ଆହୁରି ସୁଗମ ହେବ। ସୋସିଆଲ ମିଡିଆରେ ଏହାକୁ ବ୍ୟାପକ ସ୍ବାଗତ କରାଯାଉଛି ଏବଂ ଯାତ୍ରୀଙ୍କ ଅଭିଯୋଗ ସମାଧାନ ପାଇଁ ନିୟମଗୁଡ଼ିକୁ ସ୍ପଷ୍ଟ କରାଯାଇଛି।
ରେଳବୋର୍ଡ ତରଫରୁ ସମସ୍ତ ଜୋନାଲ ରେଳବାଇ, ଷ୍ଟେସନ ଓ ଟ୍ରେନ୍ରେ ବିକ୍ରି ହେଉଥିବା ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟରର ମୂଲ୍ୟ ସଂଶୋଧନ କରାଯାଇଛି। ଏବେ ୧ ଲିଟର ବୋତଲ ୧୪ ଟଙ୍କାରେ ମିଳିବ, ଯାହା ପୂର୍ବରୁ ୧୫ ଟଙ୍କା ଥିଲା। ସେହିପରି ୫୦୦ ମିଲି (ଅର୍ଦ୍ଧ ଲିଟର) ବୋତଲର ମୂଲ୍ୟ ୯ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୦ ଟଙ୍କା ଥିଲା। ଏହି ପରିବର୍ତ୍ତନ ୨୨ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହୋଇଛି।
ରେଲ ନୀର କ’ଣ?
ରେଲ ନୀର ହେଉଛି ଭାରତୀୟ ରେଳବାଇ ଓ ଆଇଆରସିଟିସି (Indian Railway Catering and Tourism Corporation)ର ନିଜସ୍ବ ବ୍ରାଣ୍ଡର ପ୍ୟାକେଜ୍ଡ ପାଣି। ଯାତ୍ରୀଙ୍କ ସୁବିଧା ପାଇଁ ଏହାକୁ ବିଶେଷ ଭାବେ ଅଣାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ, ଶୁଦ୍ଧ ଓ ଯୁକ୍ତିଯୁକ୍ତ ମୂଲ୍ୟରେ ପାଣି ଯୋଗାଇବା, ଯାହାଦ୍ୱାରା ଯାତ୍ରୀମାନଙ୍କୁ ବାହାରୁ ମହଙ୍ଗା ପାଣି କିଣିବାକୁ ପଡ଼ିବ ନାହିଁ।
ମୂଲ୍ୟ କାହିଁକି କମିଲା?
ମୂଲ୍ୟ ହ୍ରାସର ମୁଖ୍ୟ କାରଣ ହେଉଛି GST (Goods and Services Tax)ରେ ହ୍ରାସ। GST ଦର ସଂଶୋଧନ ପରେ ରେଳବାଇ ନିଷ୍ପତ୍ତି ନେଇଛି ଯେ ଏହି ଲାଭ ସିଧାସଳଖ ଯାତ୍ରୀଙ୍କୁ ମିଳିବ। ତେଣୁ ବୋତଲର Maximum Retail Price (MRP) କମାଇ ଦିଆଯାଇଛି।
ଅନ୍ୟ ବ୍ରାଣ୍ଡର ପାଣି ମଧ୍ୟ ସେହି ଦରରେ
ନୂଆ ନିର୍ଦ୍ଦେଶ ଅନୁଯାୟୀ, ଯଦି ରେଲ ନୀର ଉପଲବ୍ଧ ନ ଥାଏ ତେବେ ବିକ୍ରେତାମାନେ କେବଳ IRCTC ଅନୁମୋଦିତ ଅନ୍ୟ ବ୍ରାଣ୍ଡ (ଯଥା Bisleri, Kinley ଆଦି) ବିକ୍ରି କରିପାରିବେ। କିନ୍ତୁ ସେମାନଙ୍କର ମୂଲ୍ୟ ମଧ୍ୟ ରେଲ ନୀର ସହ ସମାନ ଅର୍ଥାତ ୧୪ ଟଙ୍କା ଓ ୯ ଟଙ୍କା ରହିବ। ଏହାଦ୍ୱାରା ବିସ୍ଲେରୀ କିମ୍ବା କିନ୍ଲେ ଭଳି ବ୍ରାଣ୍ଡ ମଧ୍ୟ ଶସ୍ତାରେ ମିଳିବ।
ପୂର୍ବରୁ ପ୍ରାୟତଃ ଟ୍ରେନ୍ରେ ଲୋକେ ରେଲ ନୀର ଶେଷ ହୋଇଗଲେ୨୦ଟଙ୍କାରୁ-୩୦ ଟଙ୍କା ପର୍ଯ୍ୟନ୍ତ ପାଣି ବୋତଲ କିଣୁଥିଲେ। କିନ୍ତୁ ଏବେ ଏହା ଭୁଲ ଓ ଅବୈଧ। ଯଦି କୌଣସି ବିକ୍ରେତା ୧୪ଟଙ୍କାରୁ ଅଧିକ ନେବେ, ତେବେ ଯାତ୍ରୀମାନେ ରେଳବାଇ ହେଲ୍ପଲାଇନ ୧୩୯ରେ ଅଭିଯୋଗ କରିପାରିବେ। ଏଭଳି କ୍ଷେତ୍ରରେ ରେଳ କର୍ମଚାରୀ ଓ ବିକ୍ରେତାଙ୍କୁ ଜରିମାନା ମଧ୍ୟ ଲଗାଯାଇପାରିବ। ଏହି ପଦକ୍ଷେପକୁ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି। ଗରିବ ଓ ମଧ୍ୟବର୍ଗୀୟ ଯାତ୍ରୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପକାରୀ ହେବ।
ମହଙ୍ଗା ମିଳିଲେ କ’ଣ କରିବେ?
ଯଦି କେବେ ଷ୍ଟେଶନ କିମ୍ବା ଟ୍ରେନ୍ରେ ପାଣିର ସଠିକ ମୂଲ୍ୟ ନ କୁହାଯାଏ କିମ୍ବା ଅଧିକ ନିଆଯାଏ, ତେବେ ଯାତ୍ରୀମାନେ Rail Madad App କିମ୍ବା ହେଲ୍ପଲାଇନ ୧୩୯ରେ ତୁରନ୍ତ ଅଭିଯୋଗ କରନ୍ତୁ। ଏହାଦ୍ୱାରା ରେଳ ଅଧିକାରୀଙ୍କୁ ତୁରନ୍ତ ସୂଚନା ମିଳିବ ଏବଂ ବିକ୍ରେତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
Dharitri – Odisha’s No.1 Odia Daily