ବ୍ୟବସାୟ ସହ ଗ୍ରାହକଙ୍କୁ ମନୋରଞ୍ଜନ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ପ୍ରଦର୍ଶନୀ କିମ୍ବା ମେଳା ପଡ଼ିଲେ ବ୍ୟବସାୟର କଥା ଆସେ। କିଣାକିଣି ସହ ମେଳା ବୁଲାର ମଜା ନେଇଥାନ୍ତି ଲୋକେ। ଏବେ ଏସବୁ ଭିତରେ ଲୋକଙ୍କୁ ମନୋରଞ୍ଜନ ଯୋଗାଉଛି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ୨୦୨୨। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ସଂସ୍ଥା ‘ବୟନିକା’ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇଥିବା ଏହି ମେଳାରେ ଓଡ଼ିଶା ସମେତ ୧୬ ରାଜ୍ୟର ହସ୍ତତନ୍ତ ବସ୍ତ୍ରର ସମ୍ଭାର ଆକର୍ଷଣ ସାଜିଛି। ଏଥିରେ ମୋଟ ୨୧୫ଟି ଷ୍ଟଲ ଖୋଲାଯାଇଥିବାବେଳେ ଏଥିମଧ୍ୟରୁ ୧୧୫ ଷ୍ଟଲ ଓଡ଼ିଶାର ବିଭିନ୍ନ ସଂସ୍ଥା ଓ ସମିତିଗୁଡ଼ିକ ପାଇଁ ଉଦ୍ଦିଷ୍ଟ ରହିଛି। ଅବଶିଷ୍ଟ ୧୦୦ ଷ୍ଟଲ ଅନ୍ୟ ୧୫ ରାଜ୍ୟକୁ ଆବଣ୍ଟିତ କରାଯାଇଛି। ଏହି ମେଳାରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜମ୍ମୁ ଓ କଶ୍ମୀରର ପଶମିନା ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍‌ ପାଟଶାଢ଼ି, ଦିଲ୍ଲୀ ଓ ହରିୟାଣାର ଫର୍ନିସିଙ୍ଗ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ନାଟକର ସିଲ୍‌କ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ହେଉଛି ା
ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ଶୁକ୍ରବାରଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯୁବ ଉଦୀୟମାନ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଝୁମି ଉଠିଥିଲା ମେଳା ପରିସର। କଣ୍ଠଶିଳ୍ପୀ ନେହା ନିହାରିକା, ଅଭିଜିତ୍‌ ପାଢ଼ୀ, ସିଦ୍ଧାନ୍ତ, ବୈଷ୍ଣବୀ ମହାନ୍ତି ପ୍ରମୁଖଙ୍କ ସୁମଧୁର ସଙ୍ଗୀତ ଗ୍ରାହକ ତଥା ଦର୍ଶକଙ୍କ ମନକୁ ବେଶ୍‌ ହାଲ୍‌କା କରିଦେଇଥିଲା। ଆସନ୍ତା ୨୫ ତାରିଖରେ ମୁମ୍ବାଇ ନାଇଟ୍‌, ୨୮ରେ ରାଜ୍ୟର କଣ୍ଠଶିଳ୍ପୀଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ, ୩୦ରେ ସଂଗୀତ କାର୍ଯ୍ୟକ୍ରମ ଏବଂ ଅକ୍ଟୋବର ୧ରୁ ୬ ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରହିଛି। ସେହିପରି ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି, ଚକ୍ରି, ମିକିମାଉସ୍‌ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ା ଷ୍ଟଲଗୁଡ଼ିକରେ ବିଭିନ୍ନ ପ୍ରକାରର ବସ୍ତ୍ର ଉପରେ ଆକର୍ଷଣୀୟ ରିହାତିର ବ୍ୟବସ୍ଥା ରହିଛି ା ବର୍ଷା ସତ୍ତ୍ବେ ମେଳାରେ ସେପ୍ଟେମ୍ବର ୨୨ ସୁଦ୍ଧା ୧ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି। ଏହି ଜାତୀୟସ୍ତରୀୟ ମେଳା ପ୍ରତ୍ୟହ ପୂର୍ବାହ୍ନ ୧୧ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହୁଛି ା ଏହା ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।