ଆନ୍ଧ୍ରପ୍ରଦେଶ୍,୨୬ା୧୦: କୁର୍ଣ୍ଣୁଲ୍ ଠାରେ ବାଇକ୍କୁ ଧକ୍କା ଦେଇ ଜଳିଯାଇଥିବା ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ଫରେନ୍ସିକ୍ ତଦନ୍ତରୁ ଜଣାପଡ଼ିଛି ଯେ ବସରେ ଥିବା ଦୁଇଟି ୧୨ KV ବ୍ୟାଟେରୀର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା, କିନ୍ତୁ ବହୁ ପରିମାଣରେ ଥିବା ସ୍ମାର୍ଟଫୋନ୍ ଯୋଗୁଁ ଅଗ୍ନିକାଣ୍ଡର ଭୟାବହତା ବୃଦ୍ଧି ପାଇଥିଲା।
ପୋଲିସ ଅନୁଯାୟୀ, ବାଇକ୍ ଟି ରାସ୍ତାରେ ପଡିଯିବା ପରେ ବସ ତାହାକୁ ମାଡି ଯାଇଥିଲା। ଫଳରେ ବାଇକ୍ ଫୁଏଲ୍ ଟାଙ୍କି ଫାଟିଯାଇଥିଲା, ଯାହାକି ବସ୍ର ମୁଖ୍ୟ ବାହାରିବା ଦ୍ୱାର ନିକଟରେ ଥିବା ଦୁଇଟି ୧୨ KV ବ୍ୟାଟେରୀ ଉପରେ ପ୍ରଭାବ ପକାଇ ବିସ୍ଫୋରଣ ଘଟାଇଥିଲା।
ଫରେନ୍ସିକ୍ ବିଶେଷଜ୍ଞଙ୍କ ମତରେ, ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏହି ଘରୋଇ ସ୍ଲିପର୍ ବସ୍ରେ ପ୍ରାୟ ୪୬ ଲକ୍ଷ ଟଙ୍କାର ୨୩୪ ଟି ସ୍ମାର୍ଟଫୋନ୍ ଥିଲା। ଏହି ଡିଭାଇସ୍ରେ ଥିବା ଲିଥିୟମ୍-ଆୟନ୍ ବ୍ୟାଟେରୀ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଯାତ୍ରୀ କ୍ୟାବିନ୍ରେ ଅଗ୍ନିଶିଖା ଦ୍ରୁତ ଗତିରେ ବ୍ୟାପିଯାଇଥିଲା। କୁର୍ଣ୍ଣୁଲ୍ ଡିଆଇଜି (DIG) କୋୟା ପ୍ରବୀଣ କହିଛନ୍ତି ଯେ ବସ୍ରେ ଥିବା ଅତ୍ୟଧିକ ଦହନଶୀଳ ପଦାର୍ଥ (metallic paint ସମେତ) ଅଗ୍ନିକାଣ୍ଡକୁ ଆହୁରି ଜଟିଳ କରିଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ବସ୍ ଯାତ୍ରୀ ଏବଂ ବାଇକ୍ ଚାଳକ ଶିବଶଙ୍କରଙ୍କ ସମେତ ମୋଟ୍ ୨୦ ଜଣଙ୍କର ମୃତ୍ୟୁ ହୋଇଛି।
ବସ୍ ଡ୍ରାଇଭର୍ ମିରିୟାଲା ଲକ୍ଷ୍ମାୟା ଏବଂ ସହଯୋଗୀ ଡ୍ରାଇଭର୍ ଶିବ ନାରାୟଣଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଛି। ବସ୍ ଚଳାଉଥିବା ସମୟରେ ଘଟିଥିବାରୁ ଲକ୍ଷ୍ମାୟାଙ୍କ ବିରୋଧରେ ଅବହେଳା ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଅଭିଯୋଗରେ (BNS Actର ଧାରା ୧୨୫(a) ଓ ୧୦୬(1) ମାମଲା ରୁଜୁ କରାଯାଇଛି। ଲକ୍ଷ୍ମାୟା ଯାତ୍ରୀ ଦ୍ୱାର ଦେଇ ବାହାରକୁ ଡେଇଁ ପଳାଇ ଯାଇଥିଲେ।
ପୂର୍ବରୁ ବାଇକ୍ ଚାଳକ ଶିବଶଙ୍କର (ମୃତ) ଓ ସହଯାତ୍ରୀ ଏରିସ୍ୱାମୀ ମଦ୍ୟପାନ କରିଥିବା ନିଶ୍ଚିତ ହେବା ପରେ ଶିବଶଙ୍କରଙ୍କ ବିରୋଧରେ ବେପରୁଆ ଡ୍ରାଇଭିଂ ମାମଲା ରୁଜୁ ହୋଇଛି।