ଧର୍ମଶାଳା,୪।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଐତିହାସିକ କାଏମା ପାହାଡରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେବା ଫଳରେ ଦୀର୍ଘ ସମୟ ଧରି ପାହାଡରେ ନିଆଁ ଲାଗିଥିଲା। ପାହାଡରେ ଥିବା ଗଛର ପତ୍ରଗୁଡ଼ିକ ପଡ଼ି ରହିଥିବା କାରଣରୁ ଅଳ୍ପ ସମୟ ମଧ୍ୟରେ ନିଆଁ ଚାରିଆଡେ ମାଡ଼ିଯିବା ସହ ପାହାଡ ଉପର ଆଡ଼କୁ ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ପାଣି ପାଇପ ସାହାଯ୍ୟରେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଚଢ଼େଇଧରା ଏବଂ କୁଆଖିଆର ଦୁଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ।
ତେବେ ଘଟଣାକୁ ନେଇ ପାହାଡ ନିକଟ ବର୍ତ୍ତି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାହାଡ ପାର୍ଶ୍ୱରେ ଅନେକ ଚାଳ ଛପର ଘର ରହିଥିବା ବେଳେ କିଛି ଅସାମାଜିକ ଯୁବକ ଏହି ଭଳି କାର୍ଯ୍ୟ କରିଥିବା କହିଛନ୍ତି। ବନ ବିଭାଗ ଏହି ଦୃର୍ବୁତ୍ତ ମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏହାକୁ ନେଇ ପ୍ରଶ୍ନ ଉଠିଛ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଫୋଟୋ ଉଠାଇ ଚାଲି ଯାଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବନ ବିଭାଗର ଖାମଖିଆଲ ମନୋଭାବ ପାଇଁ ଏହି ଐତିହାସିକ ପାହାଡ ଦିନକୁ ଦିନ ଅସୁରକ୍ଷିତ ଅବସ୍ଥାକୁ ଗତି କରୁଛି। ଏହି ପାହାଡରପାଦ ଦେଶରେ ବୌଦ୍ଧ କୀର୍ତ୍ତିରାଜି ହାତିଆଶୁଣି ରହି ଅଛି।
ପର୍ଯ୍ୟଟନ ବିଭାଗ ପକ୍ଷରୁ ପାହାଡକୁ ଖନନ କରି ଅନେକ ବୌଦ୍ଧ କୀର୍ତ୍ତିରାଜି ସଂଗ୍ରହ କରାଯାଇଛି। ସେହିପରି ପାହାଡର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗଛ ଲଗା ଯିବା ସହ କମଲେଇ ବନ ନାମରେ ନାମିତ କରାଯାଇଥିଲା। ବନ ବିଭାଗ ସୁରକ୍ଷା ଦାୟିତ୍ୱ ରେ ବିଭିନ୍ନ ଗଛ ଲଗାଯାଇଥିଲା। ଏହି ନାମୀ ଦାମୀ ଗଛ ଗୁଡ଼ିକୁ ଦୃର୍ବୁତ୍ତମାନେ କାଟି ନେଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଙ୍କୁ ବାରମ୍ବାର ଜଣାଇବା ପରେ କର୍ମଚାରୀ ମାନେ ପହଞ୍ଚି ପାହାଡ ବୁଲି ଦେଖିଥିଲେ।
ଅନେକ ଗଛ କଟା ହୋଇ ଯାଇଥିବା ସହ କେତେ ଗଛ କିଛି ଲୋକଙ୍କ ଘର ବାଡ଼ିରେ ପଡ଼ି ରହିଥିବା ଦେଖି ମଧ୍ୟ ସେମାନଙ୍କ ଉପରେ କୌଣସି ଆଇନ ଗତ କାର୍ଯାନୁଷ୍ଠାନ ନେଉ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଯାହା ଫଳରେ ଦିନକୁ ଦିନ ସେମାନଙ୍କ ସାହସ ଓ କୀର୍ତ୍ତି କାରନାମା ବଢିବା ସହ ପାହାଡରୁ ଗଛ କଟିନେଉଛନ୍ତି। ଏହି ଭଳି ଗଛ କାଟିବା କାର୍ଯ୍ୟ ଜାରିରହିଲେ କିଛି ଦିନ ପରେ ପାହାଡରୁ ଗୋଟିଏ ହେଲେ ଗଛ ରହିବ ନାହିଁ ବୋଲି ଲୋକେ କହିଛନ୍ତି।
Dharitri – Odisha’s No.1 Odia Daily