Categories: HomeHome Left

କୋଲ୍‌ ଓ୍ବାସେରିରେ ଲିଭୁନି ନିଆଁ: ପ୍ରଦୂଷଣରେ ଅତିଷ୍ଠ ଅଞ୍ଚଳବାସୀ

ଝାରସୁଗୁଡ଼ା,୬ା୧୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଧୀନ ବନ୍ଧବାହାଲ ଅଞ୍ଚଳର ଗ୍ଲୋବାଲ କୋଲ୍‌ ୱାସେରିରେ ପ୍ରାୟ ୧ ସପ୍ତାହ ହେବ ନିଆଁ ଲାଗିଛି। ଏଥିରେ ହଜାର ହଜାର ଟନ୍‌ର କୋଇଲା ପୋଡ଼ି ନଷ୍ଟ ହେଉଛି। ଏଥିଯୋଗୁ ସରକାରଙ୍କ ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ନିଆଁକୁ ଆୟତ୍ତ କରିବା ପାଇଁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁ ନ ଥିବାବେଳେ ଜିଲା ପ୍ରଶାସନ ମଧ୍ୟ ପଦକ୍ଷେପ ନେଉ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଗ୍ଲୋବାଲ କୋଲ୍‌ ୱାସେରିରେ ଥିବା ବହୁ ହଜାର ଟନ୍‌ କୋଇଲା କିଛିଦିନ ହେବ ଜଳୁଛି। ଏଥିଯୋଗୁ ସ୍ଥାନୀୟ କୁସ୍ରାଲୋଇ ଓ ଛର୍ଲା ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଓ୍ବାସେରିରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଝାରସୁଗୁଡ଼ା ଜିଲାରେ ଅନେକ କମ୍ପାନୀ ରହିଛି। ସେଠାରୁ ନିର୍ଗତ ପାଉଁଶ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଗ୍ଲୋବାଲ କୋଲ୍‌ ୱାସେରିରେ ଯେତେ କୋଇଲା ପୋଡ଼ିଯାଇଛି, ସେଥିରୁ ବାହାରିଥିବା ପାଉଁଶକୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ କୁଆଡ଼େ ନେଇ ପକାଇବେ, ପୋଡ଼ି ଯାଇଥିବା କୋଇଲାର ମୂଲ୍ୟ କିଏ ଦେବ ତାହାକୁନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଏମ୍‌ସିଏଲ୍‌ ଜିଏମ୍‌ ଏ. କେ. ପାଣ୍ଡେ ଏବଂ ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଗ୍ଲୋବାଲ କୋଲ୍‌ ୱାସେରିର ଏମ୍‌. ଡି. ପାତ୍ର କହିଛନ୍ତି, କୋଇଲା ସଫା କରିବା ଆମର କାମ। କୋଇଲା ପୋଡ଼ିବା ଘଟଣା ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ବୁଝିବେ। ଅପରପକ୍ଷେ ଏମ୍‌ସିଏଲ୍‌ର ଇନ୍‌ଚାର୍ଜ ଅଧିକାରୀ ସତ୍ୟଭୂଷଣ ବାରିକ କହିଛନ୍ତି, ୱାସେରିରେ ୨ ପ୍ରକାର କୋଇଲା ରହିଥାଏ। ସେଥିମଧ୍ୟରେ ଗୋଟିଏ ହେଲା ୱାଶ୍‌ କୋଇଲା ଏବଂ ଅନ୍ୟଟି ରିଜେକ୍ଟ କୋଇଲା। ଓ୍ବାସେରିରେ ଥିବା ରିଜେକ୍ଟ କୋଇଲା ପୋଡ଼ିଯାଇଛି। ଏହାର କୌଣସି ମୂଲ୍ୟ ନ ଥିବାରୁ ପୋଡ଼ିବାରେ ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily