ଗୋଡ଼ରେ ମହମବତି ଜଳାଇ ରେକର୍ଡ

ମନୋବଳ ଦୃଢ଼ ଥିଲେ ଡେଣା ନ ଥାଇ ବି ପକ୍ଷୀଟିଏ ଉଡ଼ିପାରେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମେକ୍ସିକୋର ଏଡ୍ରିଆନ୍‌ ଇରେନେ ମୈସିଆସ୍‌ ହର୍ନାଣ୍ଡେଜ୍‌। ଜନ୍ମରୁ ତାଙ୍କର ଦୁଇ ହାତ ନ ଥିଲା। ହେଲେ ଏହି ଅଭାବବୋଧକୁ ସେ ନିଜର ଦୁର୍ବଳତା ହେବାକୁ ଦେଲେ ନାହିଁ। ନିଜର ଦୁଇ ଗୋଡ଼କୁ ସେ ହାତଭାବେ ବ୍ୟବହାର କରିବା ଶିଖିଲେ। ଆଉ ଗୋଡ଼ରେ କାମ କରିବାରେ ଏତେ ଏକ୍ସପର୍ଟ ହୋଇଗଲେ ଯେ, ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ। ନିଜର ଦୈନନ୍ଦିନ କାମ ସହ କିଛି ଅସମ୍ଭବ କାର୍ଯ୍ୟ ବି ସେ ନିଜ ଗୋଡ଼ରେ କରିପାରନ୍ତି। ନିକଟରେ ନିଜ ଜନ୍ମଦିନରେ ସେ ଗୋଡ଼ରେ ଏକ ମିନିଟ୍‌ରେ ୧୧ଟି ମହମବତି ଜଳାଇ ବିଶ୍ୱ ରେକର୍ଡ କରିଛନ୍ତି। ଏତେ ଶୀଘ୍ର ଏତେ ମହମବତିକୁ ଜଣେ ହାତ ଥିବା ବ୍ୟକ୍ତି ମଧ୍ୟ ଜଳାଇପାରିବେ ନାହିଁ। କିନ୍ତୁ ସେ ଏହା ସମ୍ଭବ କରି ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ। ପୂର୍ବରୁ ଏହି ରେକର୍ଡ ଆମେରିକାର ଏଶରିଟାଙ୍କ ନାମରେ ଥିଲା, ଯେ କି ୧ ମିନିଟ୍‌ରେ ୭ଟି ମହମବତି ଗୋଡ଼ରେ ଜଳାଇଥିଲେ।