‘ଗଣତନ୍ତ୍ରକୁ ବ୍ୟର୍ଥ କରିବାକୁ ଅମଲାତନ୍ତ୍ରକୁ ଅନୁମତି ଦିଆଯାଇ ପାରିବନି’

ନୂଆଦିଲ୍ଲୀ, ୧୨।୩: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ମାମଲାର ଶୁଣାଣି କରି କହିଛନ୍ତି, ତୃଣମୂଳ ସ୍ତରର ଗଣତନ୍ତ୍ରକୁ ବ୍ୟର୍ଥ କରିବାକୁ ଅମଲାତନ୍ତ୍ରକୁ ଅନୁମତି ଦିଆଯାଇ ପାରିବ ନାହିଁ। ମହାରାଷ୍ଟ୍ରର ଏକ ଗ୍ରାମରେ ଜଣେ ମହିଳା ସରପଞ୍ଚଙ୍କୁ ପୁନଃସ୍ଥାପିତ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ସର୍ବୋଚ୍ଚ ଅଦାଲତ କହିଛନ୍ତି, ସମ୍ପ୍ରତି ଏପରି ବିଭିନ୍ନ ଘଟଣା ବାରମ୍ବାର ସାମ୍‌ନାକୁ ଆସୁଛି ଯେଉଁଥିରେ ଅମଲାମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ଅସଦାଚରଣ କରାଯାଉଛି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଏନ୍‌ କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ କହିଛନ୍ତି, ନିକଟ ଅତୀତରେ ସରକାରୀ ବାବୁମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଅସଦାଚରଣ କରୁଥିବା ନେଇ ୨ରୁ ୩ଟି ମାମଲା ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ବିଚାର ହୋଇଛି। ଏପରି ଅଧିକ ମାମଲା ମହାରାଷ୍ଟ୍ରରୁ ଆସୁଛି। ଏହି ବାବୁମାନେ ନିର୍ବାଚିତ ପ୍ରତିନିଧିଙ୍କ ଅଧୀନରେ ରହିବା ଉଚିତ। ତୃଣମୂଳ ସ୍ତରର ଗଣତନ୍ତ୍ରକୁ ବ୍ୟର୍ଥ କରିବାକୁ ଏହି ଅମଲାମାନଙ୍କୁ ଅନୁମତି ଦିଆଯାଇ ପାରିବ ନାହିଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଛନ୍ତି, ଅମଲାମାନେ ତୃଣମୂଳ ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କର ବିଭିନ୍ନ ପୁରୁଣା ମାମଲା ଖୋଲିବାକୁ ଚେଷ୍ଟା କରିବା ସହ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛନ୍ତି।
ପ୍ରକାଶ ଯେ, ଗତବର୍ଷ ଜୁନ୍‌ ୭ରେ ମହାରାଷ୍ଟ୍ରର ରାଇଗଡ଼ ଜିଲା ରୋହା ବ୍ଲକ୍‌ ଐଘର ଗ୍ରାମପଞ୍ଚାୟତର ସରପଞ୍ଚ କଳାବତୀ ରାଜେନ୍ଦ୍ର କୋକାଲେଙ୍କୁ ସରପଞ୍ଚ ପଦ ପାଇଁ ଅଯୋଗ୍ୟ ଦର୍ଶାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ଥିବା ନେଇ ରାଇଗଡ଼ର ଜିଲାପାଳ ଏକ ଆଦେଶ ପାରିତ କରିଥିଲେ। ଏହା ବିରୋଧରେ କଳାବତୀ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ହାଇକୋର୍ଟ ଜିଲାପାଳଙ୍କ ଜୁନ୍‌ ୭ ଆଦେଶକୁ ରଦ୍ଦ କରିବା ସହ କଳାବତୀଙ୍କୁ ଐଘର’ର ସରପଞ୍ଚ ଭାବେ ପୁନଃସ୍ଥାପିତ କରିଥିଲେ।