Categories: Home Leftଖେଳ

ବୁମ୍‌ରା, ସିରାଜଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ମ୍ୟାଚ ରେଫରିଙ୍କ ନିକଟରେ ବିସିସିଆଇର ଅଭିଯୋଗ

ସିଡ୍‌ନୀ,୧୦।୧(ପି.ଟି.): ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛନ୍ତି। ଜଣେ ମଦ୍ୟପ ଦର୍ଶକ ଏହି ଦୁଇଜଣଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଫଳରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ ରେଫରିଙ୍କ ନିକଟରେ ଅଭିଯୋଗ କରିଛି।
ବିସିସିଆଇର ଅଭିଯୋଗ ଅନୁସାରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ର ଏକ ଷ୍ଟାଣ୍ଡରେ ବସିଥିବା ଦର୍ଶକ ଜଣକ ସିରାଜଙ୍କୁ ମଙ୍କି ବା ମାଙ୍କଡ଼ ବୋଲି କହିଥିଲେ। ଏହା ୨୦୦୭-୦୮ରେ ଭାରତ ଅଷ୍ଟ୍ରେଲିଆ ଗସ୍ତର ‘ମଙ୍କିଗେଟ୍‌’ ବିବାଦକୁ ମନେ ପକାଇଦେଇଛି। ଏହି ଘଟଣା ମଧ୍ୟ ସିଡ୍‌ନୀ ଟେଷ୍ଟ ଖେଳିବା ଅବସରରେ ଘଟିଥିଲା। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବାର ଅଭିଯୋଗ ଆଣିଥିଲେ। ହରଭଜନ ତାଙ୍କୁ ଏକାଧିକବାର ମଙ୍କି କହିଥିଲେ ବୋଲି ସାଇମଣ୍ଡ୍ସ କହିଥିଲେ। ତେବେ ଏ ନେଇ ସେତେବେଳେ ହୋଇଥିବା ଶୁଣାଣିରେ ହରଭଜନ ଦୋଷମୁକ୍ତ ହୋଇଥିଲେ।
ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ଦିବସର ଖେଳ ପରେ ଅଧିନାୟକ ଅଜିଙ୍କ୍ୟ ରାହାନେ, ଅମ୍ପାୟର, ସୁରକ୍ଷା ଅଧିକାରୀମାନଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ହୋଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ପିଲ୍ଡିଂ କରିବା ଅବସରରେ ଦୁଇ ଭାରତୀୟ ଖେଳାଳିଙ୍କୁ ସିଧାସଳଖ ଆକ୍ଷେପ କରାଯାଇଥିଲା ବୋଲି ବିସିସିଆଇ କହିଛି।