Budget 2026: ଏସବୁ ଚାଷକୁ ପ୍ରୋତ୍ସାହନ ଘୋଷଣା; ଭାରତୀୟ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବା ଯୋଜନା

ନୂଆଦିଲ୍ଲୀ,୧।୨: ବଜେଟ୍ ୨୦୨୬ରେ ଚାଷୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ ଚାଷ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି। ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ିତୋଳିବା ଲକ୍ଷ୍ୟ ରଖାଯାଇଛି। ଏଥିସହିତ କଞ୍ଚାମାଲ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ସରକାର ଏକ ସମର୍ପିତ କାର୍ଯ୍ୟକ୍ରମ ଆରମ୍ଭ କରିବେ।

ଚନ୍ଦନ ଚାଷର ପୁନରୁଦ୍ଧାର: ଭାରତର ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ସହ ଜଡ଼ିତ ଚନ୍ଦନ ଚାଷକୁ ବୃଦ୍ଧି କରିବାକୁ ସରକାର ରାଜ୍ୟମାନଙ୍କ ସହ ସହଭାଗିତା କରିବେ। ଏଥିପାଇଁ ବୈଜ୍ଞାନିକ ଚାଷ ପ୍ରଣାଳୀ ଏବଂ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଉପରେ ଫୋକସ୍ କରାଯିବ।

ଶୁଖିଲା ଫଳ ଓ ବାଦାମ: ପୁରୁଣା ଓ କମ୍ ଅମଳକ୍ଷମ ବଗିଚାଗୁଡ଼ିକର ପୁନରୁଦ୍ଧାର କରାଯିବ। ଅଖରୋଟ୍, ଆଲମଣ୍ଡ୍ ଏବଂ ପାଇନ୍ ନଟ୍‌ସର ଘନ ଚାଷ ପାଇଁ ସରକାରୀ ସହାୟତା ପ୍ରଦାନ କରାଯିବ।

ଏହି ଯୋଜନାଗୁଡ଼ିକରେ ଗ୍ରାମୀଣ ଯୁବକମାନଙ୍କୁ ସାମିଲ କରାଯାଇ ମୂଲ୍ୟ ବୃଦ୍ଧି ଉପରେ ଜୋର୍ ଦିଆଯିବ, ଯାହା ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ।

କୋକୋ ଓ ନଡ଼ିଆ: ଉପକୂଳବର୍ତ୍ତୀ ଅଞ୍ଚଳରେ କୋକୋ ଏବଂ କାଜୁ ଚାଷକୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯିବ।

ଏହି ନୂତନ ନୀତି ଦ୍ୱାରା ପାରମ୍ପରିକ ଚାଷ ସହ ଅର୍ଥକରୀ ଫସଲକୁ ପ୍ରାଧାନ୍ୟ ମିଳିବ, ଯାହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Share