ନୂଆଦିଲ୍ଲୀ,୧।୨: ଶୁକ୍ରବାର ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟବିତ୍ତ ବର୍ଗଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୀତାରାମନ୍ ଘୋଷଣା କରିଛନ୍ତି ଯେ ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏପର୍ଯ୍ୟନ୍ତ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଥିବା ଲୋକଙ୍କୁ ୭୧,୫୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା। ଆସନ୍ତୁ ଜାଣିବା ନୂତନ ଟିକସ ସ୍ଲାବ ପରେ କେତେ ଦରମା ଉପରେ କେତେ ଟିକସ ଦେବାକୁ ପଡିବ ଏବଂ କେତେ ଲାଭ ମିଳିବ।
ଯଦି ଆପଣଙ୍କର ଆୟ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୁଏ, ତେବେ ଆପଣଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କର ଆୟ ୧୩ ଲକ୍ଷ ଟଙ୍କା, ତେବେ ପୂର୍ବରୁ ଆପଣଙ୍କୁ ୮୮,୪୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା, କିନ୍ତୁ ସ୍ଲାବରେ ପରିବର୍ତ୍ତନ ପରେ ଏବେ ଆପଣଙ୍କୁ ୬୬,୩୦୦ ଟଙ୍କା ଟିକସ ଦେବାକୁ ପଡିବ। ଅର୍ଥାତ୍, ଏବେ ଆପଣଙ୍କୁ ପ୍ରାୟ ୨୨,୧୦୦ ଟଙ୍କାର ଏକ ବଡ଼ ଲାଭ ମିଳିବ।
ପୂର୍ବରୁ ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ୧.୩୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡୁଥିଲା, ନୂତନ ସ୍ଲାବ ପରେ ସେମାନଙ୍କୁ କେବଳ ୯୭,୫୦୦ ଟଙ୍କା ଦେବାକୁ ପଡିବ। ଏହାର ଅର୍ଥ ହେଉଛି ଏବେ ତାଙ୍କୁ ୩୨.୫୦୦ ଟଙ୍କାର ଲାଭ ମିଳିବ। ୧୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ବର୍ତ୍ତମାନ ୧.୮୪ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିବ। ନୂତନ ସ୍ଲାବ ପରେ, ସେମାନଙ୍କୁ ଏବେ ୧.୩୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିବ, ଯାହା ଦ୍ୱାରା ସେମାନଙ୍କୁ ୫୪,୬୦୦ ଟଙ୍କା ଲାଭ ମିଳିବ।
ଯଦି ଆପଣଙ୍କର ଆୟ ୨୨ ଲକ୍ଷ ଟଙ୍କା, ତେବେ ପୂର୍ବରୁ ଆପଣଙ୍କୁ ୩,୪୦,୬୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା, କିନ୍ତୁ ସ୍ଲାବରେ ପରିବର୍ତ୍ତନ ପରେ, ଏବେ ଆପଣଙ୍କୁ ୨,୪୦,୫୦୦ ଟଙ୍କା ଟିକସ ଦେବାକୁ ପଡିବ। ଅର୍ଥାତ ଏବେ ଆପଣଙ୍କୁ ପ୍ରାୟ ୧,୦୦,୧୦୦ ଟଙ୍କାର ଏକ ବଡ଼ ଲାଭ ମିଳିବ। ବାର୍ଷିକ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଏବେ ୪ ଲକ୍ଷ ୩୪ ହଜାର ୨୦୦ଟଙ୍କା ଟିକସ ଦେବାକୁ ପଡିବ। ସ୍ଲାବରେ ପରିବର୍ତ୍ତନ ପରେ ତାଙ୍କୁ ୩ ଲକ୍ଷ ୧୯ ହଜାର ୮୦୦ ଟଙ୍କା ଟିକସ ଦେବାକୁ ପଡିବ, ଯାହା ତାଙ୍କୁ ୧ ଲକ୍ଷ ୧୭ ହଜାର ୪୦୦ ଟଙ୍କା ଲାଭ ଦେବ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଆସନ୍ତା ସପ୍ତାହରେ ଏକ ନୂତନ ଆୟକର ବିଲ ଆଗତ କରିବାକୁ ଯାଉଛନ୍ତି, ଯାହା ଟିକସ ବ୍ୟବସ୍ଥାକୁ ଅଧିକ ସରଳ ଏବଂ ସ୍ବଚ୍ଛ କରିବ। ଏହା ବ୍ୟତୀତ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ କହିଥିଲେ ଯେ ବୀମା କ୍ଷେତ୍ର ପାଇଁ FDI ସୀମା ବୃଦ୍ଧି କରିବାକୁ ଯାଉଛି। ଏହା ସହିତ, ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟ ଉପରେ ଟିକସ ଛାଡ଼ ସୀମାକୁ ଦ୍ୱିଗୁଣିତ କରି ୧ ଲକ୍ଷ ଟଙ୍କା କରିବା ପାଇଁ ବଜେଟରେ ଘୋଷଣା ମଧ୍ୟ କରାଯାଇଥିଲା।