ବବଲ୍‌ ଘରର ଗାଁ

ଜାପାନ ହେଉଛି ଭୂମିକମ୍ପ ପ୍ରଭାବିତ ଅଞ୍ଚଳ। ଏଠାରେ ଭୂମିକମ୍ପ କେବେ ବି କେତେବେଳେ ବି ଆସିଯାଏ। ଆଉ ଧୂଳିସାତ୍‌ କରିଦିଏ ସବୁକିଛି। ଆଖିଆଗରେ ଭାଙ୍ଗିଯାଏ ଘର, ଚାଲିଯାଏ ନିଜ ଲୋକଙ୍କ ଜୀବନ। ନିଜକୁ ସମ୍ଭାଳି ଯେବେ ମଣିଷ ଅଣ୍ଟା ସଳଖେ, ଠିକ୍‌ ସେତିକିବେଳେ ଭୂମିକମ୍ପ ପୁଣିଥରେ ଭାଙ୍ଗିଦିଏ ଅଣ୍ଟା। ଏମିତି ବାରମ୍ବାର ହେବାଯୋଗୁ ଜାପାନରେ ଏବେ ତିଆରି ହୋଇଛି ବବଲ୍‌ ପରି ବା ଗମ୍ବୁଜ ଆକାର ଘର। ଦକ୍ଷିଣ ଜାପାନର କୁମାମୋଟୋ ପ୍ରାନ୍ତର ଜ୍ୱାଳାମୁଖୀ ନିକଟସ୍ଥ ଏକ ରିସର୍ଟ ଦ୍ୱାରା ତିଆରି କରାଯାଇଛି ଭୂମିକମ୍ପରେ କ୍ଷତିଗ୍ରସ୍ତ ହେଉ ନ ଥିବା ଏହି ଗମ୍ବୁଜାକାର ଘର, ଯାହାକୁ ସୁନ୍ଦର ରଙ୍ଗରେ ରଙ୍ଗାଯିବା ସହ ଚିତ୍ର ବିଚିତ୍ର କରାଯାଇଛି। ଏଠାରେ ଏହିଭଳି ୪୫୦ଟି ଘର ଅଛି। ଏହି ଘରକୁ ତିଆରି କରିବା ଲାଗି ପଲିଷ୍ଟାଇନ୍‌ ଫୋମ୍‌୍‌ର କିଛି ପିସ୍‌ ବ୍ୟବହାର କରାଯାଏ, ଯାହାକୁ ପରସ୍ପର ସହ ଯୋଡି ଦେଲେ ଗମ୍ବୁଜାକାର ଘରରେ ପରିଣତ ହୋଇଯାଏ। ଏହି ଘର ପାଇଁ ଆବଶ୍ୟକ ଏହି ପଲିଷ୍ଟାଇନ୍‌ ଖଣ୍ଡଗୁଡିକ ବେଶ୍‌ ହାଲୁକା। ହେଲେ ଜୋର୍‌ ପବନ ବହିଲେ କି ଭୂମିକମ୍ପରେ ଏହି ଘରର କିଛି କ୍ଷତି ହୋଇ ନ ଥାଏ। ୨୦୧୬ରେ ହୋଇଥିବା ଭୂମିକମ୍ପରେ ବି ଏହାର କିଛି କ୍ଷତି ହୋଇ ନ ଥିଲା। ଏହାପରେ ଏହାର ବିକ୍ରି ତିନି ଗୁଣ ବଢିଗଲା। ଏହି ଗମ୍ବୁଜାକାର କ୍ୟାବିନ ଭଳି ଘରର ଡିଜାଇନ୍‌ ରିସର୍ଟ ପ୍ରମୁଖ କାତ୍‌ସ୍ୟୁୟୁକି କିତାଗାବା କରିଛନ୍ତି।