ବିଏସଏନଏଲର ୪ଜି ସେବା ଅଚଳ: ରାସ୍ତା କଡ଼ରେ ବସି ଗର୍ଭବତୀଙ୍କ ଡାଟା ଅନଲାଇନରେ ଅପଲୋଡ଼ କରୁଛନ୍ତି ଅଙ୍ଗନାୱାଡି କର୍ମୀ

ଦାରିଙ୍ଗବାଡି, ୨୩।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବିଏସଏନଏଲ ସେବା ବିପର୍ଯ୍ୟୟ ହୋଇପଡିଛି। କେଉଁଠି ୨୦ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବିଏସଏନଏଲ ସେବା ବାଧାପ୍ରାପ୍ତ ହେଇଥିବାବେଳେ ଆଉ କେଉଁଠି ବ୍ରଡ଼ବ୍ୟାଣ୍ଡ ଅଚଳ ହୋଇପଡୁଛି। ଆଉ କେଉଁଠି ୩ଜି ଏବଂ ୪ଜି ସେବା ଅଚଳ ହୋଇପଡୁଛି ଫଳରେ ଦୀର୍ଘ ବର୍ଷ ଧରି ବିଏସଏନଏଲ ଉପରେ ର୍ନିଭର କରୁଥିବା ଉପଭୋକ୍ତା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ହଟହଟା ହେଉଛନ୍ତି ଆଧାର ହେଉ କି ପାନ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ରେ ନିଜ ବିଏସଏନଏଲ ମୋବାଇଲ ନମ୍ବର ଲିଙ୍କ କରିଥିବାରୁ ଓଟିପି ପାଇଁ ଉପଭୋକ୍ତା ମାନେ ହଇରାଣ ଭୋଗୁଛନ୍ତି।

ଏଭଳି ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଗତ କିଛି ଦିନ ୪ଜି ସେବା ଅଚଳ ଯୋଗୁ ୫୯ ନଂ ଜାତୀୟ ରାଜପଥ କଡ଼ରେ ଅଙ୍ଗନାୱାଡି କର୍ମୀମାନେ ବସି ଗର୍ଭବତୀଙ୍କ ଅନଲାଇନ ଲିଙ୍କ କରାଉଛନ୍ତି। ଏନେଇ ଜଣେ ଅଙ୍ଗନାୱାଡି କର୍ମୀ ରୁନିତା ପଡ୍ରା କହିଛନ୍ତି, କିରିକୁଟିର ବିଏସଏନଏଲ ମୋବାଇଲ ନମ୍ବରରୁ ଓଟିପି ସଂଗ୍ରହ ଓ ସିମନବାଡିର ଜିଓ ନେଟୱାର୍କ ଏହି ସ୍ଥାନରେ ଟିକିଏ ସିଗନାଲ ଆସୁଥିବାରୁ ଏହାର ଇଣ୍ଟରନେଟକୁ ବ୍ୟବହାର କରି ବହୁ ହଇରାଣରେ କାମ କରିବାକୁ ପଡୁଥିବା। ଉକ୍ତ ପଞ୍ଚାୟତର ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଅଙ୍ଗନାୱାଡି କର୍ମୀମାନେ ଏକାଠି ହୋଇ ଏଭଳି ଗର୍ଭବତୀଙ୍କ ଅନଲାଇନ କାର୍ଯ୍ୟ ଅପଲୋଡ଼ କରୁଥିବା କହିଛନ୍ତି।