ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ ହୋଇପଡିଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଏସଏନଏଲ ବିଭାଗକୁ ଅବଗତ କରାଇଲେ ମଧ୍ୟ ଫଳ ଶୂନ। ଫଳରେ ଦାସିଙ୍ଗବାଡି ପଞ୍ଚାୟତବାସୀ ଏହି ସେବାରୁ ବଞ୍ଚିତ ହୋଇଥିଲେ ଏହାକୁ ନେଇ ଧୀରେ ଧୀରେ ଅସନ୍ତୋଷର ଦାନା ବାନ୍ଧିଥିଲା।
ମଙ୍ଗଳବାର ସକାଳ ୬ଟା ସମୟରୁ ଦାସିଙ୍ଗବାଡି ଅଞ୍ଚଳକୁ ବନ୍ଦ ଡାକରା ଦିଆଯିବା ସହ ଦାରିଙ୍ଗବାଡି -ଗଜପତିର ପାଣିଗଣ୍ଡା ରାସ୍ତାକୁ ଦାସିଙ୍ଗବାଡିର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିବା ସହ ସେଠାରେ ପାଲ ପକାଇ ଲୋକମାନେ ଧାରଣା ଦେଇଥିଲେ। ସେମାନଙ୍କ ଗୋଟିଏ ଦାବି ନିୟମିତ ବିଏସଏନଏଲର ମୋବାଇଲ, ଇଣ୍ଟରନେଟ ସେବା ଯୋଗାଇବାକୁ ଦାବି କରିଥିଲେ। ଖବର ପାଇ ଦାରିଙ୍ଗବାଡି ତହସିଲଦାର ଫାଲଗୁନି କୁମାର, ପୋଲିସ ଏଏସଆଇ ଅର୍ଜୁନ ଶବର ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଭଳି କି ସକାଳ ୬ଟାରୁ ରାସ୍ତା ଉପରେ ବସିଥିବା ଅଞ୍ଚଳବାସୀ ପ୍ରତିଶ୍ରୁତି ପାଇ ମଧ୍ୟାହ୍ନ୧୨ ଟାରେ ଆନ୍ଦୋଳନରୁ ଓହରିଥିଲେ।
ଅଚଳ ବିଏସଏନଏଲ ସେବାକୁ ମରାମତି କରି ତୁରନ୍ତ ସେବା ଯୋଗାଇବା ସହ ବିଳମ୍ବିତ ରାତି ୯ଟା ପର୍ଯ୍ୟନ୍ତ ବିଏସଏନଏଲର କର୍ମଚାରୀମାନେ ଦାସିଙ୍ଗବାଡିରେ ରହି ଏହି ସେବାକୁ ନିୟମିତ ଯୋଗାଇବା ନିଶ୍ଚିତ କରିବା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ। ଖବର ଲେଖିବା ସୁଦ୍ଧା ବିଏସଏନଏଲ ସେବା ମରାମତି ଚାଲିଥିବାବେଳେ ଏହି ସେବା ସ୍ବାଭାବିକ ହୋଇନଥିବା ଓ ଘଟଣାସ୍ଥଳରେ ବିଭାଗର କର୍ମଚାରୀମାନେ ଏହି ସେବା ଯୋଗାଇବା ପାଇଁ ମରାମତି କାର୍ଯ୍ୟ କରୁଥିବା କୁହାଯାଇଛି। ଆଗକୁ ଯଦି ବାରମ୍ବାର ଏହି ସେବା ଅଚଳ ହୁଏ ତେବେ ପୁଣି ଆନ୍ଦୋଳନକୁ ଦୋହରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରାୟ ୬ ଘଣ୍ଟା ଧରି ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ, ଗଦାପୁର, କାଟିଙ୍ଗିଆ, ତାଜୁଙ୍ଗିଆ, ସରାମୁଳିସମେତ ଗଜପତି ଜିଲ୍ଲାର ପାଣିଗଣ୍ଡା, ଅଡବା,ମୋହନା, ବ୍ରହ୍ମପୁର କୁ ସେହି ରାସ୍ତାରେ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ମଧ୍ୟାହ୍ନ ୧୨ଟା ପରଠାରୁ ଗାଡିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।