ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ ହେଲା ଏଭଳି ସ୍ଥିତି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ ବସିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୨୦୨୫/୨୬ ଆର୍ଥିକ ବର୍ଷ ଶେଷ ହେବାକୁ ଥିଲା। ଏହି ସମୟରେ ଇଣ୍ଟରନେଟ ଓ ମୋବାଇଲ ସେବା ଅଚଳ ଯୋଗୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବହୁ ହଇରାଣ ଭୋଗିଥିଲେ। ବିଶେଷ କରି ବ୍ରାହ୍ମଣୀଗାଁରେ ରହିଥିବା ୨ଟି ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ, ପୋଲିସ ଷ୍ଟେଶନ, ବନ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଭଳି କାର୍ଯ୍ୟଳୟରେ ବହୁ ହଇରାଣ ଭୋଗୁଥିବା ଦେଖିବାକୁ ମିଳିଛି। ସେହିପରି ସାଧାରଣ ବଣ୍ଟନ ଦାୟିତ୍ୱରେ ରହିଥିବା ବହୁମୁଖି ସମବାୟ ସମିତି କାର୍ଯ୍ୟାଳୟରେ ମଧ୍ୟ ଅଚଳବସ୍ଥା ଦେଖିବାକୁ ମିଳିଛି। କୁଆଡେ ବିଏସଏନଏଲ ବିଭାଗ ପକ୍ଷରୁ ବିଦ୍ୟୁତ ବିଲ ଡିପୋଜିଟ କରି ନ ଥିବା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବାବେଳେ ଏନେଇ କନ୍ଧମାଳ ଜିଲା ବିଏସଏନଏଲ କାର୍ଯ୍ୟାଳୟର ଡେପୁଟି ଜେନେରାଲ ମ୍ୟାନେଜର ବୃନ୍ଦାବନ ମାଝୀଙ୍କୁ ପଚାରିବୁଝିବାରୁ ସେ ଏହା ଖଣ୍ଡନ କରିବା ସହ ସେ ଏକ ଟିମ ବ୍ରାହ୍ମଣୀଗାଁକୁ ଏହି ସେବା ସ୍ବାଭାବିକ କରାଇବାକୁ ପଠାଇଛନ୍ତି ବୋଲି କହିଛନ୍ତି।