ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଗିଚାସାହିର ପ୍ରଭାକର ପରିଡ଼ା, କୋଡାପଡାର ଶିବନନ୍ଦ ଦେହୁରୀ ଏବଂ ଇରରିଗସନ କଲୋନୀର ପ୍ରୀତମ ଦେହୁରୀ।

ମିଳିଥିବା ସୂଚନା ମୁତାବକ, ସହର ନିକଟସ୍ଥ ରାଇଠାଣି ନିକଟ ରାମଦେଇ ନାଳ ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସ ଏକ ଟିମ୍‌ ଚଢ଼ାଉ କରି ୨୨.୭୬ ଗ୍ରାମ ବ୍ରାଉନସୁଗାର ଜବତ କରି ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସ ତାଙ୍କଠାରୁ ୧୫,୯୨୦ ଟଙ୍କା ୩ଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।