ଭାଇଙ୍କ ତଣ୍ଟି କାଟି ହତ୍ୟା କଲେ ଭାଇ

ଭୋଗରାଇ, ୧୧।୭(ପ୍ରଦୀପ ଦାସ):ରାତି ଅଧରେ ମଝିଆ ଭାଇଙ୍କୁ ଘରୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି ବଡ଼ ଭାଇ। ହତ୍ୟା ପରେ ମାରିଛନ୍ତି ଚମ୍ପଟ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ସୀମାନ୍ତ ଗାଁ ମାନକୁଣ୍ଡାରେ। ମୃତକ ହେଲେ ନିମାଇଁ ମଣ୍ଡଳ (୪୫)। ଖବର ପାଇ ଶୁକ୍ରବାର ସକାଳେ ଜଳେଶ୍ୱର ଏସ୍‌ଡିପିଓ ମାନସ କୁମାର ଦେଓ, ଭୋଗରାଇ ଥାନା ଅଧିକାରୀ ରୋହିତ କୁମାର ବଳଙ୍କ ସହ ପୋଲିସ ବାହିନୀ ଓ ବାଲେଶ୍ୱର ସାଇଣ୍ଟିଫିକ୍‌ ଟିମ ପହଞ୍ଚତ୍ ଅଭିଯୁକ୍ତଙ୍କ ଘରେ ଛାନ୍‌ଭିନ୍‌ କରିବା ସହିତ ଘରେ ରୋଷେଇ କରୁଥିବା ଜଣେ ଅଳ୍ପ ବୟସ୍କା ମହିଳା ଓ ଆତ୍ମୀୟଙ୍କର ବୟାନ ରେକର୍ଡ କରିଛନ୍ତି।
ସୂଚନାନୁଯାୟୀ, ଉକ୍ତ ଗ୍ରାମରେ ନିଆସୀ ମଣ୍ଡଳ (୫୨)ଙ୍କ ସମେତ ୩ ଭାଇ ଅଲଗା ଘର କରି ରହନ୍ତି। ୩ ଭାଇଙ୍କ ବିବାହ ସରିଥିବା ବେଳେ ନିଆସୀ ସମସ୍ତଙ୍କଠାରୁ ବଡ଼। ନିଆସୀଙ୍କ ସ୍ତ୍ରୀ ଓ ପୁଅ ଘରୁ ପଳାଇଯାଇ ଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଗ୍ରାମବାସୀ କହିଛନ୍ତି। ନିଆସୀ ଗତ ୧୦ବର୍ଷ ପୂର୍ବେ ଗ୍ରାମର ଜଣେ ମହିଳା ରାତିରେ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ତାଙ୍କ ହାତର ୩ ଆଙ୍ଗଠି କାଟି ୫ ବର୍ଷ ଜେଲ ଯାଇ ଫେରିଛନ୍ତି। ଏତଦ୍‌ଭିନ୍ନ ତାଙ୍କ ନାମରେ ଭୋଗରାଇ ଥାନାରେ ଏକାଧିକ ମାମଲା ରହିଛି। ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ମଝିଆ ଭାଇ ନିମାଇଁ ଘରେ ଖାଇବାକୁ ବସିଥିବା ବେଳେ ତାଙ୍କୁ ନିଆସୀ ଘରୁ ଡାକି ନେଇଥିବା ନିମାଇଁଙ୍କ ସ୍ତ୍ରୀ ଗୁରୁବାରୀ ମଣ୍ଡଳ ଅଭିଯୋଗ କରିଛନ୍ତି। ସେ ରାତିରେ ଦେଢ଼ଶୁର ନିଆସୀଙ୍କୁ ପଚାରିବାରୁ ନିମାଇଁ ଘରକୁ ଚାଲିଯାଇଛନ୍ତି ବୋଲି କହିବା ପରେ ଖୋଜାଖୋଜି କରିବାରୁ ତାଙ୍କର ପତ୍ତା ମିଳି ନ ଥିଲା। ସକାଳେ ଘର ସମ୍ମୁଖ ବାହାରିବା ରାସ୍ତା ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ରୁଣ୍ଡ ହୋଇ ପୋଲିସକୁ ସୂଚନା ଦେଇଥିଲେ। ଭୋଗରାଇ ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା(ନଂ. ୨୩୧/୨) ରୁଜୁ କରି ପ୍ରାଥମିକ ତଦନ୍ତ ଜାରି ରଖିଛି।  ମୃତଦେହକୁ ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ଆତ୍ମୀୟଙ୍କୁ ହସ୍ତାନ୍ତର କରାଯାଇଛି।