ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଅଭିଯୁକ୍ତ ଦିଅରଙ୍କୁ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ସାହାରପଡ଼ା ବ୍ଲକ୍ ଖଜିରାପାଟ ପଞ୍ଚାୟତ ଜୁମେଇ ଗ୍ରାମର ଅଜୟ ନାଏକ (୨୨)। ଅଭିଯୋଗ ଅନୁଯାୟୀ, ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ୩୩ ବର୍ଷୀୟ ବିଧବା ମହିଳାଙ୍କୁ ଅଜୟ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ଗର୍ଭବତୀ ହେବା ପରେ ଅଜୟ ବିବାହ କରିବାକୁ ମନା କରିଥିଲେ। ଏ ନେଇ ମହିଳା ଗୁରୁବାର ତୁରୁମୁଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର ଉଭୟଙ୍କର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ପରୀକ୍ଷା କରିବା ପରେ ମୁଦାଲାଙ୍କୁ କୋର୍ଟଚାଲାଣ କରିଛି। ବେଲ୍ ଖାରଜ ହେବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ମାମଲା(ନଂ.୯୫/୨୬)ରୁଜୁ ହୋଇଥିବା ଏସ୍ଆଇ ସୁରେଶ ସାହୁ କହିଛନ୍ତି।