ଶସ୍ତାରେ ହଳଦୀପତ୍ର ନେଉଛନ୍ତି ଦଲାଲ: ଚାଷୀ ନିରାଶ

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): ଆଗକୁ ରହିଛି ପ୍ରଥମାଷ୍ଟମୀ ଏଥିପାଇଁ ଆବଶ୍ୟକ ପଡେ ହଳଦୀ ପତ୍ର। ଘରର ବଡ଼ ଝିଅ ଓ ପୁଅଙ୍କ ମଙ୍ଗଳ କାମନା କରି ପରିବାର ଲୋକ ପ୍ରଥମାଷ୍ଟମୀ ପାଳନ କରନ୍ତି। ତେବେ ଏହି ପର୍ବରେ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଇ ପୂଜାର୍ଚନା କରାଯାଇଥାଏ। ଏଥିପାଇଁ ହଳଦୀ ପତ୍ରରେ ପ୍ରସ୍ତୁତ ପିଠା ପୁଅ ଓ ଝିଅଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ହଳଦୀ ପତ୍ରରେ ପିଠା ପ୍ରସ୍ତୁତ କରି ଖାଇବାକୁ ଦିଆଯାଇଥାଏ। ପରିବାର ଲୋକ ମଧ୍ୟ ଏହି ପତ୍ରରେ ପିଠା ପ୍ରସ୍ତୁତ କରି ଖାଇଥାନ୍ତି। ଏହା ସୁସ୍ବାଦ ସହ ନିରୋଗ ଓ ଭୁତାଣୁକୁ ନଷ୍ଟ କରୁଥିବା ନଜିର ରହିଛି। ତେବେ କନ୍ଧମାଳ ସମେତ କୋରାପୁଟ ଓ କିଛି ହାତ ଗଣତି ଜଲାରେ ହଳଦୀ ଚାଷ କରାଯାଉଥିବାବେଳେ କନ୍ଧମାଳ ହଳଦୀ ବିଶ୍ୱ ବିଖ୍ୟାତ ଭାବେ ପରିଚିତ। ଏହି ହଳଦୀ ପତ୍ରର ବାସ୍ନା ଅନ୍ୟ ହଳଦୀ ପତ୍ରରେ ନ ଥାଏ। ତେଣୁ ଏହି କନ୍ଧମାଳ ହଳଦୀ ଓ ହଳଦୀ ପତ୍ର ର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି ହଳଦୀ ପତ୍ର କେବଳ ରାଜ୍ୟରେ କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶର, ଯାଜପୁର, କେନ୍ଦ୍ରାପଡା, ଅନୁଗୋଳ, ତାଳଚେର ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଦିନରେ ଅଧିକା ବିକ୍ରୀ ହୋଇଥାଏ ତେବେ ଚାଷୀ ଏହି ସବୁ ପତ୍ର ସଂଗ୍ରହ କରୁଥିଲେ ମଧ୍ୟ ଏହାର କୌଣସି ସରକାରୀ ଦର ଧାର୍ଯ୍ୟ ହୋଇ ନ ଥିବାବେଳେ ବିକ୍ରିବଟା ପାଇଁ ବ୍ୟବସ୍ଥା ନାହିଁ ଫଳରେ ଚାଷୀ ୧୦ ଖଣ୍ଡ ହଳଦୀ ପତ୍ର କୁ ୨ ଟଙ୍କାରୁ ୨ ଟଙ୍କା ୫୦ ପଇସାରେ ବିକ୍ରି କରି ବହୁ କ୍ଷତି ସହୁଛି।

ଅନ୍ୟପଟେ ହଳଦୀ ଅମଳ ପୂର୍ବରୁ ତାର କଞ୍ଚା ପତ୍ରକୁ କାଟି ବିକ୍ରି କରୁଥିବାରୁ ହଳଦୀ ଅମଳରେ ମଧ୍ୟ କ୍ଷତି ହେଉଥିବା ଜଣାପଡିଛି। ତେବେ ବର୍ଷା ଛାଡି ଶୀତ ଆରମ୍ଭ ସମୟରେ ଏହି ପର୍ବ ପଡୁଥିବାରୁ ଚାଷୀର ମଧ୍ୟ କୌଣସି ରୋଜଗାର ନ ଥିବାରୁ ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଚାଷୀମାନେ କହିଛନ୍ତି । ଦଲାଲମାନେ ସିଧା ଶସ୍ତା ଦରରେ କିଣି ବାହାର ରାଜ୍ୟ ରେ ଉଚ୍ଚ ଦରରେ ବିକ୍ରି କରି ମାଲାମାଲ ହେଉଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily