ଖେଳ ପଡିଆରେ ଭଙ୍ଗା ବୋତଲ, କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ଦାରିଙ୍ଗବାଡି, ୧୨।୧୦, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ଏକମାତ୍ର ଖେଳ ପଡିଆର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଉକ୍ତ ପଡ଼ିଆଟି ସଂଧ୍ୟା ହେଲେ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟୁଛି। ନିଶାସକ୍ତ ଦୁର୍ବୁତ୍ତମାନେ ଖାଲି ବୋତଲ ଗୁଡିକୁ ଏଣେ ତେଣେ ଫିଙ୍ଗୁଛନ୍ତି ଫଳରେ ଭୋର ସମୟରେ ପର୍ଯ୍ୟଟକ ହୁଅନ୍ତୁ କି ସ୍ଥାନୀୟ ଲୋକ ଖେଳକୁଦ ପ୍ରାତଃ ଭ୍ରମଣ ଆଦି କରିବାକୁ ଯାଇ ଭଙ୍ଗା କାଚରେ ଆଘାତ ପାଇବା ସହ ଖେଳକୁଦ କାଟିପାରୁନଥିବା ଅଭିଯୋଗ ହେଉଛି। ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ଦୈନିକ ଉକ୍ତ ପଡିଆରୁ ସେହି ଭଙ୍ଗା କାଚ ସଫା କରିବାକୁ ପଡୁଛି ଫଳରେ ଅସନ୍ତୋଷ ଦେଖାଯିବା ସହ ଚାପା ଉତ୍ତେଜନା ଦେଖାଯାଇଛି ପୋଲିସ ଏହାର କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳର କ୍ରୀଡା ପ୍ରେମୀ ମାନେ ଦାବି କରିଛନ୍ତି। ଏବେ ପର୍ଯ୍ୟଟନ ଋତୁ ଆସିଥିବା ବେଳେ ପର୍ଯ୍ୟଟକ ମାନେ ରାତ୍ରୀ ଯାପନ କରିବା ସହ ପ୍ରାତଃ ଭ୍ରମଣରେ ଉକ୍ତ ପଡିଆକୁ ଯାଉଛନ୍ତି ଓ ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି। ଏହା ଦୀର୍ଘ ଦିନ ହୋଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ ଉଦବେଗ ପ୍ରକାଶ କରିଛନ୍ତି ତୁରନ୍ତ ପୋଲିସ ସନ୍ଧ୍ୟା ସମୟରେ ଖେଳ ପଡିଆ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ସେ ଦାବି କରିଛନ୍ତି । ସେହିପରି ଖେଳ ପଡିଆର ଉନ୍ନତିକରଣ ଓ ପାଚେରୀ ନିର୍ମାଣ କରାଗଲେ ହୁଏତ ଏଭଳି ଅସାମାଜିକ କାର୍ଯ୍ୟକଳାପ ରହିବ ନାହିଁ ବୋଲି ଭାଜପା ମଣ୍ଡଳ ସଭାପତିଙ୍କ ସମେତ ଅନ୍ୟ ମାନେ କହିଛନ୍ତି।

 

Dharitri – Odisha’s No.1 Odia Daily