Categories: Home Leftଖେଳ

ବ୍ରିଜ୍‌ ଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୧ା୮:ସ୍ଥାନୀୟ ଅଲିମ୍ପିକ ଭବନରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ର ବିଭିନ୍ନ ପଦବୀ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ରହିଥିଲା। ସଭାପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୪ଜଣଙ୍କ ମଧ୍ୟରେ ବିଦାୟୀ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ଜଣେ ଅନ୍ୟତମ ଘନିଷ୍ଠ ଉତ୍ତର ପ୍ରଦେଶର ସଞ୍ଜୟ ସିଂ ରହିଛନ୍ତି। ବ୍ରିଜ ଭୂଷଣଙ୍କ ଶିବିରରୁ ପ୍ରାର୍ଥୀ ହୋଇଥିବା ଚଣ୍ଡିଗଡ଼ କୁସ୍ତି ସଂଘର ଦର୍ଶନ ଲାଲ୍‌ ସାଧାରଣ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଲଢିବେ। ଉତ୍ତରାଖଣ୍ଡର ଏସ୍‌ପି ଦେଶଓ୍ବାଲ କୋଷାଧ୍ୟକ୍ଷ ପଦ ପାଇଁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଅଗଷ୍ଟ ୧୨ରେ ହେବ। ସେମାନଙ୍କ ପ୍ରତି ୨୫ଟି ରାଜ୍ୟ ୟୁନିଟ୍‌ ମଧ୍ୟରୁ ୨୨ଟିର ସମର୍ଥନ ରହିଥିବା ବ୍ରିଜ ଭୂଷଣଙ୍କ ଗୋଷ୍ଠୀ ଦାବି କରୁଛନ୍ତି। ସେମାନଙ୍କ ଦଳ ସମସ୍ତ ୧୫ଟି ପଦବୀରେ ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ପାଇଁ ଜମ୍ମୁ ଓ କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମହେଶ ମିତ୍ତଲ କୁମାର ରିଟର୍ନିଂ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୭ ତାରିଖ ରଖାଯାଇଛି। ଜଷ୍ଟିସ କୁମାରଙ୍କ ସୂଚନା ଅନୁସାରେ ସଭାପତି ପାଇଁ ୪ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ସିନିୟର ଉପସଭାପତି ପାଇଁ ୩, ଉପସଭାପତି ଲାଗି ୬, ସାଧାରଣ ସମ୍ପାଦକ ପାଇଁ ୩, କୋଷାଧ୍ୟକ୍ଷ ଲାଗି ୨, ଯୁଗ୍ମ ସମ୍ପାଦକ ପାଇଁ ୩ ଏବଂ ୫ କାର୍ଯ୍ୟନିର୍ବାହୀ ସଦସ୍ୟ ପାଇଁ ୯ ଜଣ ଏହିପରି ମୋଟ ୩୦ଜଣ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ସମସ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସଭପତି ପଦ ପାଇଁ ଜଣେ ମହିଳା ମଧ୍ୟ ପ୍ରାର୍ଥୀ ହୋଇଥିବା ଜଷ୍ଟିସ କୁମାର ପ୍ରକାଶ କରିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମହିଳା ଅନୀତା ଶେଓରାନ ରହିଛନ୍ତି। ସେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ଯୌନଶୋଷଣ ଅଭିଯୋଗ ମାମଲାର ଅନ୍ୟତମ ସାକ୍ଷୀ। ଡବ୍ଲ୍ୟୁଏଫ୍‌ଆର ୧୫ଟି ପଦବୀ ପାଇଁ ବ୍ରିଜ ଭୂଷଣଙ୍କ ଗୋଷ୍ଠୀର ୧୮ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ କିନ୍ତୁ ସେମାନେ କେଉଁ ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।