ଜୟମାଲା ସମୟରେ ବନ୍ଧୁକ ଚଳାଇଲେ ଦବଙ୍ଗ କନ୍ୟା: ଭିଡିଓ ଭାଇରାଲ

ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିଛନ୍ତି କି। ଆଜ୍ଞା ହଁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲାରୁ। ଜଣେ କନ୍ୟା ନିଜ ବିବାହରେ ଦବଙ୍ଗ ଷ୍ଟାଇଲ୍‌ରେ ହର୍ଷ ଫାଇରିଂ କରିଥିବା ଜଣାପଡ଼ିଛି। ତେବେ କନ୍ୟାଙ୍କ ଏଭଳି କାର୍ଯ୍ୟ ଯୋଗୁ ଏବେ ପୁରା ପରିବାର ସମସ୍ୟା ଘେରକୁ ଚାଲିଆସିଛି।

ସୂଚନାଯୋଗ୍ୟ, ପ୍ରତାପଗଡ଼ ଜିଲା ଜେଠଓ୍ବାରା କୋତଓ୍ବାଲି ଅନ୍ତର୍ଗତ ପୁରଓ୍ବା ଗ୍ରାମରେ ରହୁଥିବା ଗିରିଜା ଶଙ୍କର ପାଣ୍ଡେଙ୍କ ଝିଅଙ୍କ ବିବାହ ମେ’ ୩୦ରେ ଅନୁଷ୍ଠିତ ହୋଇଥିଲା। ବିବାହ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜୟମାଲା ପାଇଁ କନ୍ୟା ମଞ୍ଚ ଉପରକୁ ଯାଉଥିଲେ। ସେହି ସମୟରେ କନ୍ୟାଙ୍କୁ ଉପରକୁ ଚଢ଼ାଇବା ପାଇଁ ବର ଆଗକୁ ଆସିଥିଲେ। ହେଲେ ସେତେବେଳେ କନ୍ୟାଜଣଙ୍କ ନିଜର ଦବଙ୍ଗଗିରି ଦେଖାଇ ଫିଲ୍ମ ଷ୍ଟାଇଲ୍‌ରେ କକାଙ୍କଠାରୁ ବନ୍ଧୁକ ଆଣି ହର୍ଷ ଫାଇରିଂ କରିଥିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଚକିତ ହୋଇପଡ଼ିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏହି ଭିଡିଓକୁ ଦେଖି ପୋଲିସ ଆକ୍ସନରେ ଆସିଯାଇଛି। ଏହି ଘଟଣାରେ ପୋଲିସ ଉକ୍ତ କନ୍ୟା ଓ ତାଙ୍କ କକାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ସୁପ୍ରିମକୋର୍ଟ ହର୍ଷ ଫାଇରିଂ ଉପରେ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ ସୁଦ୍ଧା ଏହି ମାମଲା ଥମିବାରେ ନାଁ ନେଉନି।