ପ୍ରେମ ବିବାହର ୧୩ ଦିନ ପରେ ପତ୍ନୀଙ୍କ ପତ୍ତା ମିଳୁନି, କୋର୍ଟରେ ପହଞ୍ଚି ଯୁବକ କହିଲେ-ମୋତେ ଡ଼ର ଯେ…

ବିଳାସପୁର,୧୬।୮: ଛତିଶଗଡ଼ର ବିଲାସପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମବିବାହର ମାତ୍ର ୧୩ ଦିନ ପରେ ଜଣେ  ଯୁବକଙ୍କ ପତ୍ନୀ ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀଙ୍କୁ ତାଙ୍କ ବାପା ଜବରଦସ୍ତ ନେଇଯାଇଥିଲେ। ସେବେଠାରୁ ତାଙ୍କର କୌଣସି ଖୋଜଖବର ମିଳୁନାହିଁ। ପୋଲିସ ମଧ୍ୟ ଏହି ମାମଲାରେ କୌଣସି ସହଯୋଗ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହାପରେ ଯୁବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ମୁଙ୍ଗେଲୀ ଏସପିଙ୍କୁ ୨୮ ଅଗଷ୍ଟ ସୁଦ୍ଧା ଯୁବତୀଙ୍କୁ ଖୋଜି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଳାସପୁର ନିବାସୀ ସୂରଜ ବଞ୍ଜାରେ ଓ ମୁଙ୍ଗେଲୀର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟେ ପରସ୍ପରକୁ ଖୁବ ଭଲପାଉଥିଲେ ଏବଂ ୧୫ ମେ ୨୦୨୫ରେ ରାୟପୁରର ଆର୍ଯ୍ୟ ସମାଜ ମନ୍ଦିରରେ ପ୍ରେମବିବାହ କରିଥିଲେ। ବିବାହ ପରେ ଉଭୟେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। କିନ୍ତୁ ସୂରଜଙ୍କ ଅଭିଯୋଗ ଅନୁଯାୟୀ, ୨୮ ମେରେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ତାଙ୍କୁ ଜବରଦସ୍ତ ନେଇ ଚାଲିଯାଇଥିଲେ।
ସୂରଜଙ୍କ କହିବା ଅନୁଯାୟୀ, ତାଙ୍କ ପତ୍ନୀ ଘରକୁ ଫେରିବାର ଥିଲା। କିନ୍ତୁ ସେ ନଫେରିବାରୁ ସେ ଚିନ୍ତିତ ହୋଇ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ। ଯୁବତୀଙ୍କ ପରିବାର ମଧ୍ୟ କୌଣସି ସୂଚନା ଦେଉନାହାନ୍ତି। ପୋଲିସ ନିକଟରେ ଅଭିଯୋଗ କରି ସୂରଜ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ମାସେ ତାଳେ ହାଇକୋର୍ଟରେ ବନ୍ଦୀ-ପ୍ରତ୍ୟକ୍ଷୀକରଣ ଆବେଦନ ଦାୟର କରିଥିଲେ। ଆବେଦନରେ ସେ ଉଲ୍ଲେଖ କରିଥିଲେ ଯେ, ଯୁବତୀଙ୍କ ପରିବାର ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି କିମ୍ବା ତାଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦେଉନାହାନ୍ତି। ସୂରଜଙ୍କ କହିବା ଅନୁଯାୟୀ, ତାଙ୍କ ପତ୍ନୀଙ୍କ ସହ କିଛି ଅଘଟଣ ଘଟିଥାଇପାରେ ବୋଲି ସେ ଆଶଙ୍କା କରୁଛନ୍ତି।
ସେ କହିଛନ୍ତି, “ମୋତେ ଡର ଲାଗୁଛି ଯେ ମୋ ସ୍ତ୍ରୀକୁ ଏମାନେ ମାରି ଦେଇଥାଇପାରନ୍ତି।”  ଯାଚିକାକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଯୁବତୀଙ୍କ ଜୀବନ ବିପଦରେ ଥାଇପାରେ। ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରି କୋର୍ଟରେ ହାଜର କରାଯାଉ ଯାହା ଦ୍ୱାରା ସେ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଜଣାପଡ଼ିବ।
ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ ଏହାକୁ ଗୁରୁତର ବିବେଚନା କରିଛନ୍ତି। କୋର୍ଟ ମୁଙ୍ଗେଲୀ ଏସପିଙ୍କୁ ସମସ୍ତ ସମ୍ଭାବ୍ୟ ଉପାୟରେ ଯୁବତୀଙ୍କୁ ଖୋଜିବାକୁ ଏବଂ ୨୮ ଅଗଷ୍ଟ ସୁଦ୍ଧା ତାଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯୁବତୀଙ୍କ ବାପାଙ୍କୁ ମଧ୍ୟ କୋର୍ଟରେ ହାଜର କରିବାକୁ କୁହାଯାଇଛି।