ବିବାହ ରାତିରେ ରୁମରେ ଛୋଟ ବଲ୍ ଲଗାଇବାକୁ କହିଲେ ସ୍ତ୍ରୀ, ଚାପଗ୍ରସ୍ତ ହୋଇ ବର ଗାଏବ୍; ୫ ଦିନ ପରେ…

ନୂଆଦିଲ୍ଲୀ,୨।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିବାହ ରାତିରେ ନିଖୋଜ ହୋଇଯାଇଥିବା ବରକୁ ୫ ଦିନ ଖୋଜାଖୋଜି ପରେ ଶେଷରେ ହରିଦ୍ୱାରରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମାନସିକ ଚାପ ଯୋଗୁଁ ସେ ଘର ଛାଡ଼ି ପଳାଇଥିବା କଥା ପରିବାର ଲୋକେ ଜାଣିବାକୁ ପାଇଛନ୍ତି।

୫ ଦିନ ତଳେ ମୋହସିନ୍ ମୁଜାଫରନଗରରେ ବିବାହ କରିଥିଲେ। ବିବାହ ରାତିରେ ସେ ତାଙ୍କ ସ୍ତ୍ରୀ ଅପେକ୍ଷାରେ ଥିବା ରୁମ୍‌କୁ ଯାଇଥିଲେ। କିନ୍ତୁ ରୁମ୍‌ର ଲାଇଟ୍ ଅଧିକ ଉଜ୍ଜ୍ୱଳ ଥିବାରୁ ସ୍ତ୍ରୀ ତାଙ୍କୁ ଗୋଟିଏ ଛୋଟ ବଲ୍ ଆଣିବାକୁ କହିଥିଲେ। ମୋହସିନ୍ ଆଣିବାକୁ କହି ବାହାରକୁ ଆସିଥିଲେ ଏବଂ ଆଉ ଫେରି ନଥିଲେ।

ରାତିସାରା ସ୍ତ୍ରୀ ଓ ମୋହସିନ୍‌ଙ୍କ ପରିବାର ତାଙ୍କୁ ଅପେକ୍ଷା କରିଥିଲେ। ପରେ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଲା ଯେ ସେ ଗଙ୍ଗା କେନାଲ ନିକଟକୁ ଚାଲିଯାଇଛନ୍ତି। ଫଳରେ ପୋଲିସ୍ ପିଏସି ଡାଇଭର୍ସଙ୍କୁ ଡାକି ପାଣିରେ ଖୋଜାଖୋଜି ଆରମ୍ଭ କରିଥିଲା।

ପରଦିନ ସକାଳେ ମୋହସିନ୍‌ଙ୍କ ଦୁଇ ଭଉଣୀଙ୍କ ବାହାଘର ଥିଲା। କିନ୍ତୁ ମୋହସିନ୍‌ଙ୍କର କୌଣସି ଖୋଜ୍ ଖବର ନ ମିଳିବାରୁ ପରିବାରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ତାଙ୍କ ବିନା ହିଁ ଦୁଇ ଭଉଣୀଙ୍କ ବାହାଘର ସମ୍ପନ୍ନ ହୋଇଥିଲା। କାରଣ କେହି ବୁଝିପାରି ନଥିଲେ ଯେ ସେ କାହିଁକି ଚାଲିଗଲେ।

ଗତ ସୋମବାର ଏକ ବଡ଼ ଖବର ମିଳିଲା। ମୋହସିନ୍ ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରି କହିଥିଲେ ଯେ ସେ ହରିଦ୍ୱାରରେ ଅଛନ୍ତି। ପରିବାର ତୁରନ୍ତ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଟିମ୍ ପରିବାର ସଦସ୍ୟଙ୍କ ସହ ହରିଦ୍ୱାର ଯାଇ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ପଚରାଉଚରା ବେଳେ ମୋହସିନ୍ କହିଥିଲେ ଯେ ସେ ସ୍ତ୍ରୀଙ୍କ ସାମ୍ନାରେ ବହୁତ ଚାପଗ୍ରସ୍ତ ଓ ଅସ୍ୱସ୍ତି ଅନୁଭବ କରିଥିଲେ। ଏହି କାରଣରୁ ତାଙ୍କର ମାନସିକ ଚାପ ବଢ଼ି ଯାଇଥିଲା। କାହାକୁ କିଛି ନ ଜଣାଇ ସେ ଘରୁ ଚାଲିଯାଇଥିଲେ ଏବଂ ହରିଦ୍ୱାରରେ ପହଞ୍ଚିବା ପର୍ଯ୍ୟନ୍ତ ଚାଲିବାରେ ଲାଗିଥିଲେ।

ତାଙ୍କ ନିଖୋଜକୁ ନେଇ ପରିବାରରେ ୫ ଦିନ ଧରି ଉତ୍ତେଜନା ଲାଗିରହିଥିଲା। ତାଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରେ ପରିବାର ଲୋକଙ୍କ ଚିନ୍ତା ଦୂର ହୋଇଛି। ପୋଲିସ୍ ଏବେ ମୋହସିନ୍‌ଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଛି।

Share