Paris Olympics organizers want breakdancing to be part of the 2024 Olympics. The sport was part of the Youth Olympic Games in Buenos Aires last fall, when Russian b-boy Bumblebee (left) defeated Japan's b-boy Shigekix in the gold-medal battle.
ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର କ୍ରୀଡ଼ା ପ୍ରଶଂସକଙ୍କୁ ଆକର୍ଷିତ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବ୍ରେକ୍ଡ୍ୟାନ୍ସିଂକୁ ଅଲିମ୍ପିକ୍ରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ସ୍କେଟ୍ବୋର୍ଡିଂ, ସ୍ପୋଟର୍ସ କ୍ଲାଇମ୍ବିଂ ଓ ସର୍ଫିଙ୍ଗ୍କୁ ମଧ୍ୟ ଅଲିମ୍ପିକ୍ ମାନ୍ୟତା ପ୍ରଦାନ କରାଯାଇଛି। ଆଇଓସିର କାର୍ଯ୍ୟକାରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଏହି ୩ଟି କ୍ରୀଡ଼ା ଟୋକିଓ ଅଲିମ୍ପିକ୍ସରେ ଡେବ୍ୟୁ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍-୧୯ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ୨୦୨୧ ଜୁଲାଇ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଏହି କ୍ରୀଡ଼ାଗୁଡିକୁ ଅଲିମ୍ପିକ୍ସରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଟୋକିଓ ଅପେକ୍ଷା ପ୍ୟାରିସ ଅଲିମ୍ପିକ୍ସରେ ୧୦ଟି ଇଭେଣ୍ଟ କମ୍ ଖେଳାଯିବ। ପ୍ୟାରିସ୍ରେ ମୋଟ ୩୨୯ଟି ଇଭେଣ୍ଟ ଖେଳାଯିବ। ଭାରୋତ୍ତୋଳନରୁ ୪ଟି ଇଭେଣ୍ଟକୁ ବାଦ୍ ଦିଆଯିବ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ କୋଟା ୨୦୨୪ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସଠାରୁ ଏହା ୬୦୦ କମ୍। ଦୁଇଟି କ୍ରୀଡ଼ା ବକ୍ସିଂ ଓ ଭାରୋତ୍ତୋଳନରେ ଭାଗନେବାକୁ ଥିବା ଆଥଲେଟ୍ଙ୍କ ସଂଖ୍ୟାରେ ଅବନତି ହେବ।
ପ୍ୟାରିସ୍ରେ ଭାରୋତ୍ତୋଳନରେ ୧୨୦ଜଣ ଆଥଲେଟ୍ ଅଂଶଗ୍ରହଣ କରିବେ। ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆଥଲେଟ୍ ସଂଖ୍ୟାଠାରୁ ଏହା ଅଧାରୁ ଆହୁରି କମ୍। ଡୋପିଂ ସମସ୍ୟା କାରଣରୁ ଏହି କ୍ରୀଡ଼ାକୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍)ରେ ହୋଇଥିବା ସଂସ୍କାର ନେଇ ଆଇଓସି ଚିନ୍ତିତ ରହିଛି।
ପ୍ୟାରିସ ସମେତ ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଆଇଓସି ଭବିଷ୍ୟତ ପାଇଁ ଦୀର୍ଘକାଳୀନ ପ୍ରାଥମିକତା ଧାର୍ଯ୍ୟ କରିଛି। ଅଲିମ୍ପିକ୍ସରେ ସମାନ ସଂଖ୍ୟାରେ ମହିଳା ଓ ପୁରୁଷ ଖେଳାଳିମାନେ ଅଂଶଗ୍ରହଣ କରିବା ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ସହରୀକୃତ ଇଭେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ଅଲିମ୍ପିକ୍ସରେ ବ୍ରେକ୍ଡ୍ୟାନ୍ସିଂକୁ ବ୍ରେକିଂ ବୋଲି କୁହାଯିବ। ୨୦୧୮ ବୁଏନ୍ସ ଆୟାର୍ସ ଯୁବ ଅଲିମ୍ପିକ୍ସରେ ଏହାର ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା ଓ ଏହା ସଫଳ ମଧ୍ୟ ହୋଇଥିଲା। ଏହାପରେ ପ୍ୟାରିସ ଆୟୋଜକମାନେ ବ୍ରେକ୍ଡ୍ୟାନ୍ସଂକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ୟାରିସ୍ର ପ୍ଲେସ୍ ଡି ଲି କନ୍କୋର୍ଡରେ ଏହି କ୍ରୀଡ଼ା ସମେତ ସ୍ପୋଟର୍ସ କ୍ଲାଇମ୍ବିଂ ଓ ୩- ଅନ୍-୩ ବାସ୍କେଟବଲକୁ ଭେନ୍ୟୁ ପ୍ରଦାନ କରାଯାଇଛି। ସେହିପରି ସର୍ଫିଙ୍ଗ୍କୁ ଫ୍ରାନ୍ସର ତାହିତି ସମୁଦ୍ର ଉପକୂଳଠାରୁ ୧୫,୦୦୦ କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗରରେ ଆୟୋଜନ କରାଯିବ। ଏ ନେଇ ଗତ ମାର୍ଚ୍ଚରେ ଆଇଓସି ସମ୍ମତି ପ୍ରକାଶ କରିଥିଲା। ସୋମବାର ଅନୁଷ୍ଠିତ ହୋଇଥିବା ବୈଠକରେ ୨୮ଟି ଜଣାଶୁଣା ସମର ଗେମ୍ସ ସ୍ପୋଟର୍ସ ସହ ମୋଟ ୪୧ଟି ଇଭେଣ୍ଟ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
ଅନ୍ୟପଟେ ବିଭିନ୍ନ କ୍ରୀଡ଼ାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଓସିଏନ ରୋଇଂ ଓ ପାରକୋର ଭଳି ଇଭେଣ୍ଟକୁ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ପୁରୁଷ ୫୦ କି.ମି. ଚାଲି ବଦଳରେ ଏକ ମିକ୍ସଡ ଜେଣ୍ଡର ଟିମ୍ ଇଭେଣ୍ଟ ସାମିଲ କରାଯିବ। ଆହୁରି କେତୋଟି କ୍ରୀଡ଼ାର ମଧ୍ୟ ପ୍ରଦିବଦଳ କରାଯିବା ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।