Categories: Home Middle

ସିଙ୍ଗଲ୍‌ ଡୋଜ୍‌ ଡେଙ୍ଗୁ ଟିକାକୁ ବ୍ରାଜିଲର ମଞ୍ଜୁରୀ

ବ୍ରାସିଲିଆ,୨୮ା୧୧: ବିଶ୍ୱର ପ୍ରଥମ ସିଙ୍ଗଲ୍‌ ଡୋଜ୍‌ ଡେଙ୍ଗୁ ଟିକାକୁ ବ୍ରାଜିଲ କର୍ତ୍ତୃପକ୍ଷ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱବ୍ୟାପୀ ମଶାଜନିତ ରୋଗ ବ୍ୟାପୁଥିବାବେଳେ ଏହା ଏକ ଐତିହାସିକ ସଫଳତା ବୋଲି ବ୍ରାଜିଲ କହିଛି। ଡେଙ୍ଗୁରେ ଅତ୍ୟଧିକ ଜ୍ୱର ହେବା ସହ ଥକ୍କା ଲାଗିବା ଓ ଦେହ ବିନ୍ଧା ଭଳି ଲକ୍ଷଣ ଦେଖାଦେଇଥାଏ। ୨୦୨୪ରେ ବିଶ୍ୱବ୍ୟାପୀ ସର୍ବାଧିକ ଡେଙ୍ଗୁ ସଂକ୍ରମିତ ହୋଇଥିଲା। ଏହି ରୋଗର ସଂକ୍ରମଣ ପାଇଁ ଗବେଷକମାନେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି।
ସାଓ ପାଉଲୋସ୍ଥିତ ବୁଟାଣ୍ଟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ବିକଶିତ ବୁଟାଣ୍ଟାନ୍‌-ଡିଭି ଟିକା ୧୨ରୁ ୫୯ ବର୍ଷ ବୟସର ଲୋକମାନଙ୍କ ନିମନ୍ତେ ବ୍ୟବହାର ପାଇଁ ବ୍ରାଜିଲ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ଏଏନ୍‌ଭିଆଇଏସ୍‌ଏ ମଞ୍ଜୁରୀ ଦେଇଛି। ସମ୍ପ୍ରତି ସାରା ବିଶ୍ୱରେ ଡେଙ୍ଗୁର ଗୋଟିଏ ଟିକା ଟିଏକେ-୦୦୩ ଉପଲବ୍ଧ ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଏହି ଟିକା ୩ ମାସ ଅନ୍ତରରେ ୨ଟି ଡୋଜ୍‌ରେ ଦିଆଯାଇଥାଏ। ବ୍ରାଜିଲରେ ପରୀକ୍ଷା ନିରୀକ୍ଷା ହେବାର ୮ ବର୍ଷ ପରେ ଏକକ ଡୋଜ୍‌ ବିଶିଷ୍ଟ ଟିକା ବିକଶିତ ହୋଇଛି। ଦ୍ରୁତତର ଏବଂ ସରଳ ଟିକାକରଣ ଅଭିଯାନ ପାଇଁ ଏହାକୁ ଅନୁମତି ମିଳିବ। ବ୍ରାଜିଲରେ ବିଜ୍ଞାନ ଓ ସ୍ବାସ୍ଥ୍ୟ ପାଇଁ ଏହା ଏକ ଐତିହାସିକ ସଫଳତା ବୋଲି ବୁଟାଣ୍ଟାଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଏସ୍‌ପେର କଲାସ କହିଛନ୍ତି। ଯେଉଁ ରୋଗ ବହୁ ଦଶନ୍ଧି ହେଲା ଆମକୁ ଅସ୍ତବ୍ୟସ୍ତ କରିଆସିଥିବାବେଳେ ଏବେ ଏକ ବହୁ ଶକ୍ତିଶାଳୀ ଅସ୍ତ୍ରରେ ଏହାର ମୁକାବିଲା କରାଯିବ ବୋଲି ସେ କହିଛନ୍ତି। କ୍ଲିନିକାଲ ପରୀକ୍ଷା ବେଳେ ଏହି ଟିକା ୯୧.୬ ପ୍ରତିଶତ ସଫଳ ହୋଇଛି। ୧୬,୦୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କ ଉପରେ କ୍ଲିନିକାଲ ପରୀକ୍ଷା ହୋଇଥିଲା।
ଏଡିସ୍‌ ମଶା ଦ୍ୱାରା ଡେଙ୍ଗୁ ସଂକ୍ରମିତ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁଯାୟୀ ୨୦୨୪ରେ ୧୪.୬ ନିୟୁତରୁ ଊର୍ଦ୍ଧ୍ୱ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବାବେଳେ ପ୍ରାୟ ୧୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ଅର୍ଦ୍ଧେକ ମୃତ୍ୟୁ କେବଳ ବ୍ରାଜିଲରେ ହୋଇଥିଲା। ସେବର୍ଷ ୧୯ ପ୍ରତିଶତ ଡେଙ୍ଗୁ ବ୍ୟାପିବା ପାଇଁ ବୈଶ୍ୱିକ ଉତ୍ତାପ ବୃଦ୍ଧି ଦାୟୀ ବୋଲି ଆମେରିକା ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଥିଲେ।

Dharitri – Odisha’s No.1 Odia Daily