୩୦ କୋଟିରୁ ଅଧିକ ଓପନିଂ କରିପାରେ ‘ବ୍ରହ୍ମାସ୍ତ୍ର’

ବମ୍ବେ: ଶୁକ୍ରବାର ପରଦାକୁ ଆସିବ ବିଗ୍‌ ବଜେଟ୍‌ରେ ନିର୍ମାଣ ହୋଇଥିବା ‘ବ୍ରହ୍ମାସ୍ତ୍ର’। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଏଯାବତ ଦେଢ଼ ଲକ୍ଷ ଟିକେଟ ବିକ୍ରି ହୋଇଛି। ଏଥିରେ ୮ କୋଟି ଟଙ୍କା ଆୟ ହୋଇଥିବା କୁହାଯାଉଛି। ଏହାକୁ ଦେଖି ବଲିଉଡର ଭଲ ଦିନର ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି। ଫିଲ୍ମ ପ୍ରଥମ ଦିନ ୨୭ରୁ ୩୦ କୋଟି ଟଙ୍କା ଓପନିଂ ଦେଇପାରେ ବୋଲି ଟ୍ରେଡ୍‌ ଆନାଲିଷ୍ଟ ରୋହିତ ଜୈସଓ୍ବାଲ କହିଛନ୍ତି। ଯଦି ଦର୍ଶକ ଏହାକୁ ପସନ୍ଦ କରନ୍ତି ତେବେ ଫିଲ୍ମଟି ସପ୍ତାହ ଶେଷ ସୁଦ୍ଧା ୮୦-୯୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି କୁହାଯାଉଛି।

କହିରଖୁଛୁ, ଫିଲ୍ମରେ ପ୍ରମୁଖ ଭୂମିକାରେ ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ, ମହାନାୟକ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ନାଗାର୍ଜୁନ ଏବଂ ମୌନି ରୟ ନଜର ଆସିବେ। ପୂର୍ବରୁ ଏହାକୁ ନେଇ ଭିନ୍ନ କ୍ରେଜ୍‌ ରହିଥିଲେ ହେଁ ଫିଲ୍ମ ବଏକଟ କରାଯାଇପାରେ ବୋଲି କୁହାଯାଉଛି। ରଣବୀରଙ୍କ ଗୋମାଂସ ଖାଇବା ବୟାନ, ଷ୍ଟାର କାଷ୍ଟ ଏବଂ କରନ୍‌ ଜୋହରଙ୍କ ଧର୍ମା ପ୍ରଯୋଜନା ସଂସ୍ଥା ଏଥିରେ ଥିବାରୁ ଫିଲ୍ମର ଭବିଷ୍ୟତ ଅନିଶ୍ଚିତତାରେ ବୋଲି ଚର୍ଚ୍ଚା ଜୋର ଧରିଛି।