ପରଜଙ୍ଗ,୨୧/୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ କୁମୁସୀ ପଞ୍ଚାୟତ ବସନ୍ତପଡା ଗ୍ରାମରେ ଗତ ୨ ତାରିଖରୁ ବୋହୂର ସ୍ବୀକୃତି ଦାବିରେ ପ୍ରେମିକ ସୁବ୍ରତ ସାହୁଙ୍କ ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା। ଏକ ରୋଷେଇ ଘର ବାରଣ୍ଡାରେ ସାଆନ୍ଦା ଫାଣ୍ଡି ଅଞ୍ଚଳର ପ୍ରେମିକା ଜଣକ ଧାରଣାରେ ବସିଥିଲେ। ମଙ୍ଗଳ ବାର ଭୋର୍ ୪ଟାରେ ପ୍ରେମିକାଙ୍କୁ ଜୀବନରେ ପୋଡ଼ି ମାରିଦେବାକୁ ସୁବ୍ରତଙ୍କ ପରିବାର ଉଦ୍ୟମ କରି ପ୍ରେମିକା ରହୁଥିବା ଘରେ ନିଆଁ ଲାଗାଇ ଦେଇଥିଲେ। ଫଳରେ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାବେଳେ ପ୍ରେମିକାଙ୍କୁ ନିଆଁ ଲାଗୁଥିବା ଦେଖି ଗ୍ରାମର ଜଣେ ବ୍ୟକ୍ତି ଉଦ୍ଧାର କରିଥିଲେ। ଆହତ ଯୁବତୀଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସାଆନ୍ଦା ଫାଣ୍ଡି ଅଧିକାରୀ ଜୋସେଫ ପଟ୍ଟନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ପ୍ରେମିକ ସୁବ୍ରତଙ୍କ ପରିବାର ଓ ସମ୍ପର୍କୀୟ ୫ ଜଣଙ୍କ ନାମରେ ଯୁବତୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ତେବେ ଦୀର୍ଘ ୨୦ ଦିନ ଧରି ଯୁବତୀ ଜଣକ ସେହିଠାରେ ରହୁଥିଲେ। ସୁଦ୍ଧା ପୋଲିସ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ତାଙ୍କୁ ଜୀବନରୁ ମାରିଦେଇ ରାସ୍ତାରୁ ହଟାଇ ଦେବାକୁ ସୁବ୍ରତଙ୍କ ପରିବାର ବାରମ୍ବାର ଧମକ ଦେଉଥିଲେ। ତେଣୁ ନିଆଁ ଲଗାଇ ମାରିଦେବାକୁ ଚେଷ୍ଟା କରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।