ବ୍ରହ୍ମପୁର,୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଏବେ କଥା କଥାକେ ହତ୍ୟା ଓ ମରଣାନ୍ତକ ଘଟଣା ଘଟୁଛି। ଗୋପାଳପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ଶୁକ୍ରବାର ନିମଖଣ୍ଡି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁସିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣକ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପୋଲିସ ଆକ୍ରମଣକାରୀ ପ୍ରେମିକଙ୍କୁ ଗିରଫ କରିଛି। ସେ ହେଲେ ଟାଉନ୍ ଥାନା ଅନ୍ତର୍ଗତ ବିଜିପୁରର କିରଣ ବେହେରା (୨୫)। ତାଙ୍କ ନିକଟରୁ ଛୁରି ଜବତ କରାଯାଇଛି।
ପ୍ରକାଶ ଯେ, ଦିଗପହଣ୍ଡି ଅଞ୍ଚଳର ଯୁବତୀଙ୍କ ପରିବାର କିଛିବର୍ଷ ହେଲା ବ୍ରହ୍ମପୁରରେ ଘରଭଡ଼ା ନେଇ ରହୁଛନ୍ତି। ଯୁବତୀଙ୍କୁ ଗତ ଦୁଇବର୍ଷ ହେଲା କିରଣ ଭଲ ପାଉଥିଲେ। ଉଭୟେ ଫୋନ୍ରେ କଥାବାର୍ତ୍ତା ହେଉଥିଲେ। କିଛିଦିନ ତଳେ ଯୁବତୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ତେଣୁ ସେ କିରଣଙ୍କଠାରୁ ଦୂରେଇ ରହିବାକୁ ଚାହୁଁଥିଲେ। ଅନ୍ୟପଟେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମା’ଝିଅ ଘର ନିକଟରେ ଏକ ଜଳଖିଆ ଦୋକାନ କରିଥିଲେ।
ଗୁରୁବାର ରାତିରେ କିରଣ ଯୁବତୀଙ୍କୁ ଫୋନ କରିଥିଲେ। ହେଲେ ସେ ତାଙ୍କୁ ତାଗିଦ କରି ଆଉ ଫୋନ ନ କରିବାକୁ କହିଥିଲେ। ଫୋନ୍ କଲେ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କିରଣ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଦୋକାନରୁ ଘରକୁ ଆସିଥିବା ଯୁବତୀଙ୍କୁ ବାରମ୍ବାର ଛୁରି ଭୁସି ଚାଲିଥିଲେ। ଫଳରେ ଯୁବତୀ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ପଡ଼ୋଶୀଙ୍କଠାରୁ ଖବରପାଇ ମା’ ଦୋକାନରୁ ଘରକୁ ଆସି ଝିଅକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଅଭିଯୁକ୍ତ କିରଣଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।