ଘର ଆଗରେ ବସିବାର ୭ ଦିନ ବିତିଲା; ନ୍ୟାୟ ନ ପାଇ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ଘଟଣାକୁ ନେଇ ବ୍ରାହ୍ମଣୀଗାଁ ଥାନାରେ ବୁଧବାର ସଂନ୍ଧ୍ୟାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା (୭୫ /୨୫)ରୁଜୁ କରି ତଦନ୍ତ କରୁଛି ।
ପ୍ରକାଶ ଯେ, ଗତ ୨୦୨୨ ମସିହାରେ ଉକ୍ତ ଯୁବତୀଙ୍କୁ ଉକ୍ତ ଥାନା ଗୁଡିକିଆ ଗ୍ରାମର ଜଣେ ଯୁବକଙ୍କ ପ୍ରଥମେ କଲେଜରେ ଦେଖା ହୋଇଥିଲା। ପରେ ଦୁହିଁଙ୍କ ଭିତରେ ପ୍ରେମ ଗଢି ଉଠିଥିଲା। ଏଭଳି କିଛି ବର୍ଷ ଚାଲିଥିବା ଭିତରେ ଦୁହିଁଙ୍କ ସମ୍ପର୍କ ଅତି ନିବିଡ଼ ହୋଇଥିଲା। ପରେ ଯୁବତୀଙ୍କୁ ପ୍ରେମିକଜଣଙ୍କ ଚଳିତ ୨୪ରେ ନିଜ ଘରକୁ ଡାକି ଆଣିଥିଲେ। ଘରେ ଦୁହେଁ ପହଞ୍ଚିବା ପରେ ଯୁବତୀଙ୍କୁ ପରିବାରଲୋକ ଗ୍ରହଣ କରି ନ ଥିଲେ। ଫଳରେ ପ୍ରେମିକଜଣଙ୍କ ନିଜ ଘରେ ପ୍ରେମିକାଙ୍କୁ ଛାଡି କେଉଁଆଡେ ଚାଲିଯାଇଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକଙ୍କ ଘର ପିଣ୍ଢାରେ ବସି ରହିଛନ୍ତି। ପ୍ରେମିକ ମୋ ନିକଟକୁ ଫେରିଆସନ୍ତୁ ମୋତେ ନ୍ୟାୟ ଦରକାର କହି ଯୁବତୀ ଜଣକ ପ୍ରତିବାଦ ଜଣାଇ ଦୀର୍ଘ ୭ ଦିନ ହେଲା ପ୍ରେମିକଙ୍କ ପିଣ୍ଢାରେ ଦିନ ରାତି ବସି ରହିଥିଲେ। ନ୍ୟାୟ ଦିଅ ନହେଲେ ଆଇନର ଆଶ୍ରୟ ନେବି ବୋଲି ଏକା ଜିଦ ରେ ଅଟଳ ରହିଥିଲେ। ବୁଧବାର ଏ ସମ୍ପର୍କରେ ୨ ପରିବାର ମଧ୍ୟରେ ଏକ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ଫଳରେ ନ୍ୟାୟ ଆଶାରେ ଏବେ ଏହାକୁ ନେଇ ଯୁବତୀଜଣଙ୍କ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଏକ ମାମଲା (୭୫ /୨୫)ରୁଜୁ କରି ତଦନ୍ତ କରିବା ସହ ପ୍ରେମିକଙ୍କୁ ପୋଲିସ ଖୋଜୁଥିବା ତଦନ୍ତକାରୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି ।

Share