ରାତି ୧ଟାରେ ପ୍ରେମିକାଙ୍କ ଘରେ ପଶିଲେ ପ୍ରେମିକ: ସକାଳୁ ଘଟିଲା ଏମିତି…

ମହାକାଳପଡ଼ା, ୧୨ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନାରେ ରବିବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ଘରକୁ ଆସି ପ୍ରେମିକ ଫସିଛନ୍ତି। ଏହା ଜଣାପଡ଼ିବା ପରେ ଉଭୟ ପରିବାରର ସହମତିରେ ଥାନାରେ ହାତଗଣ୍ଠି ସୋମବାର ପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ରଡ଼ିଆ ଗ୍ରାମର ସୁରେଶ ରାଉତଙ୍କ ପୁଅ ସୁଧାଂଶୁ ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମର ଯୁବତୀଙ୍କ ଘରେ ରବିବାର ବିଳମ୍ବିତ ରାତି ୧ଟାରେ ପଶି ପ୍ରେମିକାଙ୍କୁ ଡାକିଥିଲେ। ପରେ ପ୍ରେମିକାଙ୍କ ମା’ ଉଠି ପଡ଼ି ପାଟି କରିବାରୁ ଗ୍ରାମବାସୀ ଆସି ପ୍ରେମିକ ସୁଧାଂଶୁଙ୍କୁ ଅଟକ ରଖି ଥାନାରେ ଜିମା ଦେଇଥିଲେ। ସୋମବାର ଉଭୟପକ୍ଷଙ୍କୁ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଡକାଇ ଆଲୋଚନା କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିରରେ ଉଭୟଙ୍କ ହାତଗଣ୍ଠି ପଡ଼ିଥିଲା। ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ପ୍ରେମିକ ସୁଧାଂଶୁ ପ୍ରେମିକା ପୂର୍ଣ୍ଣିମା ଜେନା (୨୦)ଙ୍କ ବେକରେ ବରଣ ମାଳା ବଦଳ କରିବା ସହ ଶଙ୍ଖା ସିନ୍ଦୁର ପିନ୍ଧାଇ ଥିଲେ। ଉଭୟ ସାତ ଜନ୍ମ ସାଥୀ ହୋଇ ରହିବେ ବୋଲି ଥାନାରେ ଉଭୟପକ୍ଷ ଲିଖିତ ସ୍ବାକ୍ଷରିତ କରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିବା କୁହାଯାଇଛି। ଏ ସଂକ୍ରାନ୍ତରେ ଆଇଆଇସି ମହାପାତ୍ରଙ୍କୁ ପଚାରିବାରେ ରବିବାର ବିଳମ୍ବିତ ରାତି ସାଢ଼େ ଗୋଟାଏରେ ସ୍ଥାନୀୟ ଜଅଁରା ଗ୍ରାମର କେତେଜଣ ଗ୍ରାମବାସୀ ପ୍ରେମୀ ଯୁଗଳଙ୍କୁ ଧରି ଥାନାରେ ପହଞ୍ଚତ୍ ଥିଲେ। ପରେ ଉକ୍ତ ଘଟଣାକୁ ନେଇ ଉଭୟ ପରିବାର ସଦସ୍ୟମାନଙ୍କ ସହମତି ପ୍ରଦାନ କରିବା ଓ ଆଇନ ଅନୁସାରେ ଲିଖିତ ସ୍ବାକ୍ଷରିତ କରିବା ପରେ ଥାନା ପରିସର ମନ୍ଦିରରେ ଯଥା ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି ବୋଲି ସେ କହିଛନ୍ତି।