ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କାର୍ଯ୍ୟରେ ବାହାରକୁ ଯାଉଥିବା ଲୋକେ ଶୋଷ ମେଣ୍ଟାଇବାକୁ ଦୋକାନରେ ବିକ୍ରି ହେଉଥିବା ବୋତଲ ପାଣି ଉପରେ ନିର୍ଭର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କିଛି ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବାବେଳେ ଅନେକ ଦୋକାନରେ ବିଭିନ୍ନ ନାମରେ ବିଭିନ୍ନ କମ୍ପାନୀର ପାଣି ବୋତଲ ଓ ପାଉଚ ବିକ୍ରି ହେଉଛି। ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବିଭିନ୍ନ କମ୍ପାନୀର ପାଣି ବୋତଲ ଓ ପାଉଚ ଦେଖିବାକୁ ମିଳୁଛି। ତେବେ ଏହାର ବିଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢ଼ିବାରେ ଲାଗିଛି । ଆଗକୁ ଏହାର ପ୍ରଭାବ ଆହୁରି ବଢ଼ିବ। ପୂର୍ବାହ୍ନ ୧୦ଟା ପରେ ବାହାରକୁ ବାହାରିବା ଧୀରେ ଧୀରେ କଷ୍ଟକର ହେଲାଣି। ଏହିଭଳି ପରିସ୍ଥିତିରେ ଲୋକେ ଦୋକାନରେ ବିକ୍ରି ହେଉଥିବା ଯେକୌଣସି ପାଣି କୁ ପିଇ ଦେଉଛନ୍ତି। ସେହିପରି ବିବାହ ଭୋଜି ଠାରୁ ଆରମ୍ଭ କରି ଯେକୌଣସି କାର୍ଯ୍ୟକ୍ରମର ଆୟୋଜନ କରାଗଲେ ପ୍ରଥମେ ପାଣିର ଆବଶ୍ୟକତା ପଡ଼ିଥାଏ। ହଜାର ହଜାର ସଂଖ୍ୟାରେ ଲୋକ ଆଖି ବୁଜି ଏହି ପାଣିକୁ ପିଉଥିବା ବେଳେ ଏହାର ଶୁଦ୍ଧତାକୁ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ତେବେ କଥା ଉଠୁଛି ପିଉଥିବା ପାଣି କେଉଁଠୁ ଆସୁଛି ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ କ’ଣ ରହିଛି ନିୟମ । ତେବେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମତଃ ପାଣି ବୋତଲ ପ୍ରସ୍ତୁତ ପାଇଁ ବ୍ୟୁରୋ ଆଣ୍ଡ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ଅନୁମତି ଆଣିବାକୁ ପଡ଼ିଥାଏ। ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନଳକୂଅ ପାଣି, ଆର୍ଓ ମେଶିନ, ପାଣି ବୋତଲ ପ୍ରସ୍ତୁତ ପରେ ପରୀକ୍ଷା କରାଯାଇ ପାଣି ବିକ୍ରି ନିମନ୍ତେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥାକୁ ଲାଇସେନ୍ସ ମିଳିଥାଏ। ପ୍ରତି ବୋତଲ ଓ ପାଉଚ ପ୍ୟାକେଟ ଉପରେ ପ୍ରସ୍ତୁତି ଓ ବ୍ୟବହାରର ସମ୍ପୂର୍ଣ୍ଣ ବିବରଣୀ ରହିବା ନିୟମ ରହିଛି । କିନ୍ତୁ ଅଧିକାଂଶ କମ୍ପାନୀର ପାଣି ବୋତଲ ଓ ପାଉଚ ଉପରେ ଏହା ଦେଖିବାକୁ ମିଳୁନାହିଁ। ଯାହା ଫଳରେ ଏହି ପାଣି ବିଶୁଦ୍ଧ ନା ବିଷାକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି। ଅପର ପକ୍ଷରେ ଯଦି ବିଷାକ୍ତ ପାଣି ବଜାରରେ ମିଳୁଥିବ, ତେବେ ତାକୁ ପିଇବା ଦ୍ୱାରା ଶରୀରରେ ନାନା ପ୍ରକାର ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି। ଧର୍ମଶାଳା ଅଞ୍ଚଳରେ ୪ ରୁ ୫ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥାକୁ ଲାଇସେନ୍ସ ଦିଆଯାଇଥିବା ବେଳେ ଅନ୍ୟ ପାଣି ବୋତଲ କେଉଁଠୁ ଆସୁଛି ତାହାର ତଦନ୍ତ କରାଯିବ ଏବଂ ବିନା ଲାଇସେନ୍ସରେ ବିକ୍ରି କରାଯାଉଥିବା ସଂସ୍ଥା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ କୁମାର ସାହୁ କହିଛନ୍ତି।