ପାଣିର ଉପସ୍ଥିତି ଯୋଗୁ ପୃଥିବୀରେ ଆମେ ତିଷ୍ଠିଛେ। ସେହି ପାଣି ଏବେ ଦ୍ରୁତଗତିରେ ପ୍ରଦୂଷିତ ହେବାରେ ଲାଗିଛି। କୁହାଯାଉଛି, ଭବିଷ୍ୟତରେ ସବୁଠାରୁ ବଡ଼ ସଙ୍କଟ ଭାବେ ଜଳ ଉଭା ହେବ। ନିକଟ ଅତୀତକୁ ଦେଖିଲେ ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାଣି ପିଇ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଓଡ଼ିଶାର ଆଠଗଡ଼ ସମେତ ଅନେକ ଅଞ୍ଚଳରେ ଭୂତଳ ଜଳରେ ଅଧିକ ମାତ୍ରାରେ ଫ୍ଲୋରାଇଡ୍ ଥିବା ଯୋଗୁ ଲିଭର ଓ କିଡ୍ନୀଜନିତ ରୋଗରେ ବାସିନ୍ଦାମାନେ ଆକ୍ରାନ୍ତ ହେଉଛନ୍ତି। ଗଙ୍ଗା, ଯମୁନା ଭଳି ସବୁ ବଡ଼ ନଦୀର ଜଳଉତ୍ସ ପ୍ରାୟ ବିଷାକ୍ତ ହୋଇଯାଇଛି। ଶିଳ୍ପର ବର୍ଜ୍ୟ, ନର୍ଦ୍ଦମାରୁ ବହିଯାଉଥିବା ମଇଳା ଏପରିକି ଲୋକଙ୍କ ଘରର ଆବର୍ଜନା ସବୁ ନଦୀ ବା ସମୁଦ୍ରକୁ ସିଧା ଛଡ଼ାଯାଉଛି। କେତେକ ରିପୋର୍ଟ ଅନୁସାରେ, ଭାରତର ୭୦ ପ୍ରତିଶତ ଭୂତଳ ଜଳ ପ୍ରଦୂଷିତ ଓ ଟ୍ୟାପ୍ ପାଣି ପିଇବା ଅନୁପଯୁକ୍ତ। ସ୍ବଚ୍ଛ ପାଣି ପାଇବା ପାଇଁ ଧନୀ ଓ ମଧ୍ୟବିତ୍ତ ବ୍ୟକ୍ତିମାନେ ଅର୍ଥ ଦେଇ ପାଣି ବୋତଲ କିଣୁଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ କିଛି ସ୍ଥାନରେ ପାଣି କିଣି ପିଇଲେଣି। ଏଭଳିସ୍ଥଳେ ବୋତଲରେ ପାଣି ପୂରାଇ ବିଭିନ୍ନ ବର୍ଗର ଲୋକଙ୍କୁ ବିକିବା ପାଇଁ ଅନେକ କମ୍ପାନୀ ଆଗେଇ ଆସିଲେଣି। ୧୦ଟଙ୍କିଆ ପତଳା ପ୍ଲାଷ୍ଟିକ ବୋତଲଠାରୁ ଆରମ୍ଭ କରି ୧୦୦୦ ଟଙ୍କିଆ କାଚ ବୋତଲରେ ‘ସ୍ପାର୍କଲିଂ ଓ୍ବାଟର’ ବଜାରକୁ ଆସିଲାଣି। ସାଧାରଣରେ ମାଗଣାରେ ମିଳୁଥିବା ପାଣିକୁ ଏବେ ଏକ ଦୁର୍ଲଭ ସାମଗ୍ରୀ ଭାବେ ଚିକ୍କଣିଆ ସ୍ଲୋଗାନ ଦେଇ ବିକ୍ରି କରାଯାଉଛି। ଏହା ବର୍ତ୍ତମାନ ଏକ ବିରାଟକାୟ ବ୍ୟବସାୟରେ ପରିଣତ ହୋଇ ବିଲିୟନ ଆମେରିକୀୟ ଡଲାର ଛୁଇଁଲାଣି। ପୁଣି ପ୍ରିମିୟମ ସେଗ୍ମେଣ୍ଟରେ ଅଧିକ ଅର୍ଥ ଟାଣିବା ପାଇଁ ବିଭିନ୍ନ ସ୍ବାଦ ଓ ରଙ୍ଗର ପାଣି ମଧ୍ୟ ମିଳିଲାଣି।
ଏଭଳି ସ୍ଥଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତର ସମ୍ଭ୍ରାନ୍ତ ଶ୍ରେଣୀ ଏବେ ସାଧାରଣ ପାଣି ପରିବର୍ତ୍ତେ ବିଦେଶୀ ଓ ପ୍ରାକୃତିକ ଝରଣାର ପାଣି ପାଇଁ ଅନେକ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଯେଉଁଠାରେ ସାଧାରଣ ପାଣି ବୋତଲ ୨୦ ଟଙ୍କାରେ ମିଳେ, ସେଠାରେ ଧନୀ ଭାରତୀୟମାନେ ଗୋଟିଏ ବୋତଲ ପାଣି ପାଇଁ ୮୦୦ରୁ ୧୦୦୦ ଟଙ୍କା ଦେବାକୁ ଆଗେଇ ଆସୁଛନ୍ତି। ଏହା କେବଳ ଶୋଷ ମେଣ୍ଟାଇବା ପାଇଁ ନୁହଁ, ବରଂ ନିଜର ଜୀବନଶୈଳୀ ଓ ସ୍ବାସ୍ଥ୍ୟ ପ୍ରତି ସଚେତନତା ଦେଖାଇବା ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଇପାରେ। ଲୋକଙ୍କ ବ୍ୟଗ୍ରତା ଦେଖି ବହୁରାଷ୍ଟ୍ରୀୟ ଓ ଜାତୀୟ କମ୍ପାନୀଗୁଡ଼ିକ ‘ପ୍ରିମିୟମ୍ ଓ୍ବାଟର’ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଏବେ କୁହାଯାଉଛି ଯେ, ଘରୋଇ ଆର୍ଓ (ରିଭର୍ସ ଓସ୍ମୋସିସ୍) ପ୍ୟୁରିଫାୟାର ପାଣିରୁ ଜରୁରୀ ଖଣିଜ ପଦାର୍ଥ ବାହାର କରିଦିଏ। ସେଥିପାଇଁ ସେମାନେ ହିମାଳୟ କିମ୍ବା ୟୁରୋପର ପର୍ବତମାଳାରୁ ଆସୁଥିବା ‘ନାଚ୍ୟୁରାଲ ମିନେରାଲ ଓ୍ବାଟର’ ପସନ୍ଦ କରୁଛନ୍ତି।
ଅର୍ଥଶାସ୍ତ୍ରରେ ଦୁଇ ପ୍ରକାର ସାମଗ୍ରୀ କଥା କୁହାଯାଇଛି। ମୁକ୍ତ ସାମଗ୍ରୀ ଓ ଅର୍ଥନୈତିକ ସାମଗ୍ରୀ। ସାଧାରଣରେ ଉପଲବ୍ଧ ପାଣି ସମସ୍ତଙ୍କ ପାଇଁ ମୁକ୍ତ ହୋଇଥିବା ବେଳେ ବଜାରରେ ବୋତଲଭର୍ତ୍ତି ପାଣି ଅର୍ଥନୈତିକ ସାମଗ୍ରୀ ପର୍ଯ୍ୟାୟଭୁକ୍ତ। ଏବେ ପ୍ରିମିୟମ ଓ୍ବାଟର କଥା ଚର୍ଚ୍ଚା ହେଉଛି। ଭାରତ ସମେତ ବିଶ୍ୱବ୍ୟାପୀ ପାଣି ବୋତଲ ବ୍ୟବସାୟ ବଢ଼ିଚାଲିଛି। ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବେ ପାଣି ସଙ୍କଟ ଦେଖାଦେବା ସହ ଆନ୍ତଃରାଜ୍ୟ ଓ ଆନ୍ତଃରାଷ୍ଟ୍ର ଦ୍ୱନ୍ଦ୍ୱ ବଢ଼ିଚାଲିଛି, କୁହାଗଲାଣି ଯଦି କେବେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତାହା ହେଲେ ପାଣି ହେବ ବିବାଦର ବିନ୍ଦୁ। ମନେରଖିବାକୁ ହେବ ଯେ, ଯେଉଁମାନେ ପାଣି ବୋତଲ ବ୍ୟବସାୟ କରୁଛନ୍ତି ସେମାନେ ପାଣି ତିଆରି କରୁ ନାହାନ୍ତି, ବରଂ ତାହାର ଉତ୍ସ, ପ୍ୟାକେଜିଂ ବିଷୟରେ କେବଳ ଭଲ ଭାବେ ଉଲ୍ଲେଖ କରୁଛନ୍ତି। ଯିଏ ଯେଭଳି ବ୍ରାଣ୍ଡିଂ କରିପାରିଲେ ସେହି ଅନୁଯାୟୀ ପାଣି ବିକି ଚାଲୁଛନ୍ତି। ଏଭଳି ସ୍ଥଳେ ଫ୍ରାନ୍ସର ଏଭିଆନ୍, ଆମେରିକାର ସାରାଟୋଗା, ଭାରତର ହିମାଲୟନ, ଆଭା, ବିସ୍ଲେରି ଆଦି ବୋତଲ କମ୍ପାନୀ ସେମାନଙ୍କ ଗ୍ରାହକଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି। ଅଧିକାଂଶ କ୍ଷେତ୍ରରେ ଏହିସବୁ କମ୍ପାନୀ ପ୍ଲାଷ୍ଟିକ୍ ବୋତଲରେ ପାଣି ବିକୁଛନ୍ତି। ନୂଆ ଗବେଷଣାରୁ ଜଣାପଡୁଛି ଯେ, ଏଭଳି ପାଣିରେ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍ ରହୁଛି, ଯାହା ଶରୀର ପାଇଁ କ୍ଷତିକାରକ। ଏଥିସହିତ ସେହି ପ୍ଲାଷ୍ଟିକ ବୋତଲ ପ୍ରଦୂଷଣର କାରଣ ମଧ୍ୟ ପାଲଟୁଛି। ପାଣିର ଏ ବଡ଼ କାରବାର ଦେଖି ଅନେକ ସ୍ଥାନରେ ନକଲି ମିନେରାଲ ଓ୍ବାଟର ସଂସ୍ଥା ବାହାରି ପଡ଼ିଲେଣି, ଯେଉଁମାନେ କି ନଳରେ ଆସୁଥିବା ପାଣିକୁ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପୂରାଇ ବେପାର ଚଳାଇଛନ୍ତି। ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟରେ ବହୁରାଷ୍ଟ୍ରୀୟ କମ୍ପାନୀର ପାଣି ବୋତଲ ପର୍ଯ୍ୟାପ୍ତ ବ୍ୟବହାର ହେଉଥିବା ବେଳେ ଯେଉଁ ଗ୍ରାମାଞ୍ଚଳରେ ଜଳ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି, ସେଠାକୁ ମଧ୍ୟ ବୋତଲ ପାଣି ସଂସ୍କୃତି ପ୍ରବେଶ କରିଗଲାଣି।
ପ୍ରଦୂଷଣ ନିୟନ୍ତ୍ରଣ, ଜଳଉତ୍ସ ସଂରକ୍ଷଣ ଓ ବିଶୁଦ୍ଧ ପାନୀୟଜଳ ଯୋଗାଇବାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। ଏହି ଧାରା ଜାରି ରହିଲେ ଆଗକୁ କମ୍ପାନୀଗୁଡ଼ିକ ବିଶୁଦ୍ଧ ପାଣି ସହ ପବନ ମଧ୍ୟ ବିକିବାକୁ ଆଗେଇ ଆସିବେ।