ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଖୋଳାହେଲା ବୋରୱେଲ, ଚାଷୀଙ୍କ ମହଲରେ ଖୁସି

କେସିଙ୍ଗା,୨୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ପ୍ରାୟ ୨୦ ଜଣ ଚାଷୀ ୪ ଲକ୍ଷ ଟଙ୍କା ଗତ ୨୦୨୩ରେ ଏନ ଲାଇନରେ ଜମା କରିଥିଲେ। ଗଭୀର ନଳକୂପ ଖୋଳିବାରେ ବିଭାଗୀୟ ଅଧିକାରୀ ବିଳମ୍ବ ହେବାରୁ ବାଲସି ଗ୍ରାମର ଚାଷୀବୃନ୍ଦ ମୁଖ୍ୟମନ୍ତ୍ରୀ ଓ କଳାହାଣ୍ଡି ଏମ୍‌ପି ମାଲବିକା ଦେଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏମ୍‌ପି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ପରେ ବର୍ତ୍ତମାନ ବାଲସି ଗ୍ରାମରେ ଗଭୀର ନଳକୂପ ଖୋଲା ଆରମ୍ଭ ହୋଇଛି।
ଚାଷୀଙ୍କ ଦୀର୍ଘଦିନର ସ୍ବପ୍ନପୂରଣ ହୋଇଥିବାରୁ ଚାଷୀ ମହଲରେ ଆନନ୍ଦ ଖେଳି ଯାଇଛି। ଏହିପରି ସମଗ୍ର ବ୍ଲକରେ ବହୁ ଚାଷୀ ଏ ଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଳାହାଣ୍ଡି ଜିଲାରେ ଉଠା ଜଳସେଚନ ପ୍ରକଳ୍ପ (OLIC)ର ଆହ୍ବାନ କ୍ରମେ ହଜାର ହଜାର ଚାଷୀ ନିଜ ଚାଷ ଜମିରେ ବୋରୱେଲ ଖୋଲିବା ପାଇଁ ଅନଲାଇନରେ ସୋଲାର ଓ ଇଲେକ୍ଟ୍ରି ବୋରୱେଲ ପାଇଁ ବର୍ଷ ୨୦୨୩ରେ ଆବେଦନ କରିଥିଲେ। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି କାମ ଆରମ୍ଭ ନ ହେବା କାରଣରୁ ଚାଷୀକୂଳ ଦ୍ବନ୍ଦ୍ବ ରେ ଥିଲେ। ଏହି ବିଷୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚାଷୀମାନେ ଲିଖିତ ଭାବରେ ଅବଗତ କରାଇଥିଲେ ଏବଂ କଳାହାଣ୍ଡିର ଏମ୍‌ପି ମାଲବିକା ଦେବୀଙ୍କୁ ଚାଷୀ ତରଫରୁ ଲିଖିତ ଭାବରେ ଜଣାଇବା ପରେ ଏମ୍‌ପି ତୁରନ୍ତ ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ତାଗିଦ କରିଥିଲେ । ବିଭାଗୀୟ ଅଧିକାରୀ ଚାଷିଙ୍କ ସମସ୍ୟାକୁ ଦୂର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବୋରୱେଲ ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିପ ବୋରୱେଲ ଖୋଲିବା କାମ ସମାପନ ପରେ ସୋଲାର ଏବଂ ବିଦ୍ୟୁତ ସଂଯୋଗ କରିବା ପାଇଁ ମଧ୍ୟ ଟେଣ୍ଡର ହୋଇଥିବାର ଜଣାପଡ଼ିଛି। ଏଣୁ ଏହି ଯୋଜନାର ସମସ୍ତ ହିତାଧିକାରୀଙ୍କ ତରଫରୁ ମୁଖ୍ୟମନ୍ତ୍ର କଳାହାଣ୍ଡିର ଏମ୍‌ପି ମାଲବିକା ଦେବୀ ଏବଂ ଜିଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ବିଭଗୀୟ କନିଷ୍ଠ ଜେଇ ଶାନ୍ତନୁ ମାଝିଙ୍କୁ ପଚାରିବାରୁ ସରକାର ବଦଳିବାରୁ ବିଳମ୍ବ ହେଉଥିଲା ବୋଲି ପ୍ରକାଶ କରିଥିଲେ।

Dharitri – The Largest & Most Trusted Odia Daily