ହାଡ଼ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି:ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ

ଜି.ଉଦୟଗିରି,୧୬।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି। ପ୍ରତିଦିନ ଶୀତ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଜନଜୀବନ  ଅସ୍ତବ୍ୟସ୍ତ ହୋଇପଡ଼ିଛି। ସା ହେଲା ମାତ୍ରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁର ସାହାରା ନେଉଛନ୍ତି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହୋଇପଡୁଛି। ହାଡ଼ ଭଙ୍ଗା ଶୀତର ପ୍ରକୋପରେ ବରିଷ୍ଠ ନାଗରିକଙ୍କ ସହ ବୟୋଜେଷ୍ଠ ବୃଦ୍ଧାବୃଦ୍ଧ କଷ୍ଟ ଅନୁଭବ କରୁଛନ୍ତି। ଶନିବାର ସନ୍ଧ୍ୟାଠାରୁ ଶୀତର ପ୍ରକୋପ ବଢ଼ିବା ଅନୁଭୂତ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ରବିବାର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅସହ୍ୟ ଥଣ୍ଡା ଜାଡ଼ରେ ଦେହ କାଲୁଆ ହେଉଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ନିଆଁ ହିଁ ଏକମାତ୍ର ସାହା ଭରସା।

ହାଡ଼ଭଙ୍ଗା ଥଣ୍ଡାକୁ ପ୍ରତିହତ କରିବା ପାଇଁ ସକାଳୁ ସକାଳୁ  ଯୁପପିଢ଼ି ଖେଳ ପଡ଼ିଆରେ ବ୍ୟାୟାମ କରୁଥିବା  ଦେଖିବାକୁ ମିଳୁଛି। ପ୍ରବଳ ଶୀତ ଯୋଗୁ ସନ୍ଧ୍ୟା ହେଲେ ବଜାର ଖାଁଖାଁ ରହୁଛି । ବ୍ୟବସାୟ କ୍ଷେତ୍ରରେ ମାନ୍ଦା ହେଉଥିବା କହିଛନ୍ତି। ସ୍ଥାନୀୟ ବ୍ୟବସାୟୀ। ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବା ବେଳେ ଶୀତ ସହ ପ୍ରବଳ ଜାଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ  ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି।  ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଆଶା ବାନ୍ଧି ଥିବା ନେଇ ବୁଦ୍ଧବୀବୀ ମହଲରେ ଆଲୋଚନା ହେଉଛି। ଜି.ଉଦୟଗିରିରେ ଶୀତର ମଜା ନେବା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଞ୍ଚଳରେ ଶୀତର ମଜା ନେବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରାଜ୍ୟ ସରକାର ଇକୋ କଟେଜ ନିର୍ମାଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଚା’ ଖଟିରେ ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily