ତେହରାନ୍ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍ର ସାମରିକ ପ୍ରତିଷ୍ଠାନ ଏବଂ ଅସ୍ତ୍ର ଭଣ୍ଡାର ରହିଛି। ଏହାମଧ୍ୟରେ ଇରାନର ଏକ ଯୁଦ୍ଧ ଜାହାଜକୁ ଇସ୍ରାଏଲ ଆକ୍ରମଣ କରି ବୁଡ଼ାଇ ଦେଇଥିବା ଦାବି କରିଛି। ଅନ୍ୟପକ୍ଷରେ ଇରାନ୍ ମଧ୍ୟପ୍ରାଚ୍ୟର ବିଭିନ୍ନ ଆମେରିକୀୟ ସାମରିକ ବେସ୍ ଉପରେ ଆକ୍ରମଣ କରିବା ସହ ରବିବାର ଆରବସାଗରରେ ମୁତୟନ ହୋଇଥିବା ଆମେରିକାର ଯୁଦ୍ଧଜାହାଜ ଆବ୍ରାହମ୍ ଲିଙ୍କନ୍ ଉପରେ ମଧ୍ୟ ଆକ୍ରମଣ କରିଥିବା ଦାବି କରିଛି। ଏହି ଜାହାଜ ଉପରେ ୪ଟି କ୍ଷେପରାସ୍ତ୍ର ମାଡ଼ କରାଯାଇଛି ବୋଲି ଇରାନ୍ ସେନା ଆଇଆର୍ଜିସି ପକ୍ଷରୁ କୁହାଯାଇଛି। କିନ୍ତୁ ଆମେରିକା ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିବା ସହ ଅପରେଶନ ଏପିକ୍ ଫୁଣି ବେଳେ କେବଳ ୩ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି। ସେପଟେ ଇରାନ୍ ଆକ୍ରମଣରେ ଇସ୍ରାଏଲରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି। ତେବେ ଆଗକୁ ଇସ୍ରାଏଲ ଇରାନ୍ ଉପରେ ଆହୁରି ଜୋରଦାର୍ ଆକ୍ରମଣ କରିବ ବୋଲି ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।