ଗଛରେ ପିଟିହୋଇ ଓଲଟି ପଡ଼ିଲା ବୋଲୋରୋ, ଭିତରେ ଥିଲେ…

ଥୁଆମୂଳ ରାମପୁର,୧ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦରସ୍ଥିତ ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ରବିବାର ରାତିରେ ଭାରସାମ୍ୟ ହରାଇ ଏକ ବୋଲେରୋ ଓଲଟି ପଡ଼ିଛି। ଫଳରେ ଅଳ୍ପକେ ମୃତୁ ମୁଖରୁ ବର୍ତ୍ତି ଯାଇଛନ୍ତି ଗାଡ଼ିରେ ବସିଥିବା ଲୋକେ।

ମିଳିଥିବା ସୂଚନାରୁ ଜଣାଯାଏ ଯେ, ରାତିରେ ଓଡି୦୮କେ୮୮୫୫ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ବୋଲେରୋରେ ନକରୁଣ୍ଡି ପଞ୍ଚାୟତସ୍ଥିତ ମୋହନଗିରୀ ଗ୍ରାମର ୮ ଜଣ ଲୋକେ ବସି ଡୁମରପଦର ଏକ ସାମାଜିକ କାର୍ଯ୍ୟକୁ ଯାଇ ସେଠାରୁ ତାଙ୍କ ଗାଁ ଫେରୁଥିବା ବେଳେ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାଖ ବୁଲାଣି ରାସ୍ତାରେ ଭାରସ୍ୟମ ହରାଇ ଏକ ଗଛକୁ ଅଳ୍ପ ଧକ୍କା ଦେଇଥିଲା। ପରବର୍ତ୍ତୀ ସମୟରେ ଗାଡ଼ିଟି ସିଧା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ବସିଥିବା ଜଣେ ଛୋଟ ଛୁଆଙ୍କ ସମେତ ୮ଜଣଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କରି ତାଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡ୍ରାଇଭର ଅଜିତ ନାଏକ (୩୫)ଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆକିଲ ନାଏକ (୪୮) ଏବଂ ଅନାମ ନାଏକ (୪୦) ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରୁଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍ୟ ୫ଜଣଙ୍କ କିଛି ହୋଇ ନ ଥିବା ବେଳେ ଦୁର୍ଘଟଣାର ପାଖାପାଖି ୧ଘଣ୍ଟା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଓଲଟି ଥିବା ଗାଡ଼ିକୁ ଉଦ୍ଧାର କରିଛନ୍ତି।

Dharitri – Odisha’s No.1 Odia Daily