କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ

ବଲାଙ୍ଗିର,୯।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ ରବିବାର ଚଢ଼ାଉ କରି ଜବତ କରିଛି।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି ଅଞ୍ଚଳରୁ ପ୍ରାୟ ୧୫୦ ତେଲ ଟିଣ ଡବା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତ ରାତିରେ କଣ୍ଟାବାଞ୍ଜି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦେଓଗାଁ ବ୍ଲକ୍ ଡୁମେରପିଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା, ଯେଉଁଠାରେ ଚୋରି ତେଲ ଟିଣଗୁଡ଼ିକୁ ଲୁଚାଇ ରଖାଯାଇଥିଲା। ପୋଲିସ୍ ଚୋରି ହୋଇଥିବା ସମସ୍ତ ୧୫୦ ଟି ତେଲ ଟିଣ ଡବା ସହ ସେହି ଗାଡ଼ିକୁ ମଧ୍ୟ ଜବତ କରିଛି।

ଜବତ ସାମଗ୍ରୀ ଓ ଗାଡ଼ିକୁ କଣ୍ଟାବାଞ୍ଜି ଥାନାକୁ ଅଣାଯାଇ ତଦନ୍ତ ଜାରି ରହିଛି। ତେବେ ଏହି ତେଲ ଚୋରି ମାମଲାରେ କେତେଜଣଙ୍କୁ ଗିରଫ କରାଯାଇଛି, ସେ ସମ୍ପର୍କରେ ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଡୁମେରପିଟାରୁ ଚୋରି ତେଲ ଟିଣ ଧରାପଡ଼ିବା ପରେ ଏବେ ଏହା ଅସଲି ତେଲ ନା ନକଲି ତେଲ ତାକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି। କଣ୍ଟାବାଞ୍ଜି ଅଞ୍ଚଳର ଜଣେ ବ୍ୟବସାୟୀ ଲୋକାଲ୍ ବ୍ରାଣ୍ଡର ନକଲି ତେଲ ତିଆରି କରି ବିନା କାଗଜପତ୍ରରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିବହନ କରୁଥିବା ନେଇ ଆଲୋଚନା ହେଉଛି। ପୋଲିସ୍ ଏହି ଦିଗରେ ଅଧିକ ଖୋଳତାଡ଼ କଲେ ନକଲି ତେଲ ବ୍ୟବସାୟର ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Share