କାନାଡାରେ ମିଳିଲା ନିଖୋଜ ଭାରତୀୟ ଛାତ୍ରୀଙ୍କ ମୃତଦେହ

ଓଟ୍ଟାଓ୍ବା,୩୦।୪ (ପି.ଟି.):କାନାଡାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାମ ବଂଶିକା (୨୧) ହୋଇଥିବାବେଳେ ସେ ପଞ୍ଜାବର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ଦବିନ୍ଦର ସୈନୀଙ୍କ ଝିଅ ବୋଲି ଜଣାପଡ଼ିଛି। ଓଣ୍ଟାରିଓ ରାଜ୍ୟର ଏକ ସମୁଦ୍ର କୂଳରୁ ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ସେ ଗତ ୩ ଦିନ ଧରି ନିଖୋଜ ଥିଲେ। ଏନେଇ ମଙ୍ଗଳବାର କାନାଡାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜାବର ଡେରାବସ୍ସୀ ନିବାସୀ ବଂଶିକା ନିଜର ମେଡିକାଲ ପଢ଼ା ପାଇଁ ଗତ ୨ ବର୍ଷ ଧରି କାନାଡାର ଓଟ୍ଟାଓ୍ବାରେ ରହୁଥିଲେ। ବଂଶିକାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଛି ଏବଂ ତାଙ୍କ ପରିବାରକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।