ଥୁଆମୂଳ ରାମପୁର, ୧୦।୮(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର – କିର୍କିଚା ଗ୍ରାମରେ ଜଣେ ୩୦ ବର୍ଷିଆ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତକ ହେଲେ ଭବାନୀପାଟଣା ସହର ଥାନା ସ୍ଥିତ ତେନ୍ତୁଳି ପଡ଼ାର ରତ୍ନାକର ନାଏକଙ୍କ ପୁଅ ଧରଣୀ ନାଏକ।
ମିଳିଥିବା ସୂଚନା ଅନୁସାରେ, ଗ୍ରାମର ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ର ବାରଣ୍ଡାରେ ରବିବାର ସକାଳୁ ଜଣେ ଯୁବକଙ୍କ ରକ୍ତ ଯୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ସକାଳୁ ଅଙ୍ଗନୱାଡି କେନ୍ଦ୍ରରେ ଅଜଣା ବ୍ୟକ୍ତିଙ୍କ ଏଭଳି ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ କର୍ଲାପାଟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୨୨/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମକୁ ମଧ୍ୟ ସୂଚନା ଦେଇଥିଲେ। ସୂଚନା ପାଇ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟେକ ଦିଗରେ ଯାଞ୍ଚ କରି ମୃତଦେହକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଯୁବକଙ୍କ ମୃତ ଦେହରେ ଅନେକ କ୍ଷତ ଥିବା ଜଣାପଡ଼ିଛି। ଏପରିକି ତାଙ୍କ ମୁଣ୍ଡକୁ ବଡ଼ ପଥରରେ ଛେଚା ଯାଇଥିବା ବେଳେ ଜଙ୍ଘରେ ମଧ୍ୟ ଗଭୀର ଆଘାତ ହୋଇଛି । ମୃତ ଯୁବକଜଣଙ୍କ ଭବାନୀପାଟଣା ସହର ଥାନା ସ୍ଥିତ ତେନ୍ତୁଳି ପଡ଼ାର ରତ୍ନାକର ନାଏକଙ୍କ ପୁଅ ଧରଣୀ ନାଏକ(୩୦) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ସେ ଗତ କିଛି ଦିନ ତଳେ କୌଣସି କାମ ନେଇ କିର୍କିିଚା ଗ୍ରାମକୁ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ l ହେଲେ ପୁଅର ଏଭଳି ମୃତ୍ୟୁ ଖବର ପୋଲିସଠାରୁ ଶୁଣି ପରିବାର ଲୋକେ କର୍ଲାପାଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କ୍ରମେ ପୋଲିସ ୧୦୩(୧) ଭାରତୀୟ ନ୍ୟାୟ ସଂହିତା ଧାରାରେ ସବୁ ଦିଗରେ ତଦନ୍ତ ଚାଲିଛି ସାଇଣ୍ଟିଫିକ ଏବଂ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ କୋଳକା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିବା ବେଳେ କିଏ ଓ କାହିଁକି ଏଭଳି ଜଘନ୍ୟ ହତ୍ୟା କରିଛି ପୂର୍ବରୁ ବ୍ୟକ୍ତି ଙ୍କ ସହ କାହା ଶତ୍ରୁତା ଥିଲା କି ? କାହିଁକି ଅନ୍ୟ ବ୍ଲକର ଯୁବକଙ୍କୁ ଏଭଳି ହତ୍ୟା କରାଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ତେବେ ଜିଲା ଆରକ୍ଷୀ ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ଯିଏବି ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ଦାବି ହେଉଛି।