ପାରଳାଖେମୁଣ୍ଡି,୧୮ା୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବାର୍ହା ଉପଦ୍ରବ ବଢିବାରେ ଲାଗିଛି। ଫଳରେ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ହେକ୍ଟର ହେକ୍ଟର ଧାନ ଚାଷ ପ୍ରଭାବିତ ହେଉଛି । ବ୍ଲକର ଜଙ୍ଗଲପାଡୁ, ବଡନିଳାପୁର, ଉତ୍ତରସେଲି, ଗୋଷାଣି, ମହାଦେଈପୁର, ଗୁରାଣ୍ଡି ଆଦି ଅଞ୍ଚଳରେ ବାର୍ହା ଉପଦ୍ରବ ବଢି ଚାଲିଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି।
ପୂର୍ବରୁ ଏତେ ସଂଖ୍ୟକ ବାର୍ହା ନ ଥିଲେ। ୨୦୧୮ ତିତିଲି ବାତ୍ୟା ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶ ଜଙ୍ଗଲରୁ ବର୍ହା ଚାଲି ଅସିଥିବା ଚଷୀମାନେ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ଧାନ ପାଚିଲା ସମୟରେ ବାର୍ହା ଉପଦ୍ରବ ଯୋଗ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବାର୍ହା ପଲ ସନ୍ଧ୍ୟା ହେଲେ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ପଶି ପାଚିଥିବା ଧାନ ଗଛଗୁଡିକୁ ଖାଇ ନଷ୍ଟ କରୁଛନ୍ତି। ହେଲେ ବାର୍ହା ଘଉଡାଇବା ପାଇଁ ଚାଷୀ ଶୀତ କାକରରେ ଜଗି ରହୁଛନ୍ତି । ଏନେଇ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗ କିଛି ପ୍ରତିକାର ବ୍ୟବସ୍ଥା କରି ନ ଥିବା ଚାଷୀ ଅଭିଯୋଗ କରିଛନ୍ତି।
ବିଭାଗର ଗାରାବନ୍ଧା ସେକ୍ସନ ଅଧିକାରୀ ସନ୍ତୋଷ ପରିଚ୍ଛାଙ୍କୁ ଏହି ସମ୍ପର୍କରେ ପଚାରିବାରୁ ସେ କହିଲେ, ବନବିଭାଗ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଛି। ଏନେଇ ସରକାରଙ୍କ ଅନୁକମ୍ପା ଆପ୍ ରହିଛି। ବାରାହା କିମ୍ବା ବନ୍ୟଜନ୍ତୁଙ୍କ ଦ୍ବାରା କୌଣସି ଚାଷୀଙ୍କ ଫସଲ ନଷ୍ଟ ହେଲେ ସେ ଅନୁକମ୍ପା ଆପ କିମ୍ବା ନିକଟସ୍ଥ ସିଏସ୍ସି କେନ୍ଦ୍ରକୁ ଯାଇ କ୍ଷତିଗ୍ରସ୍ତ ଜମିର ଫୋଟ ଓ ତଥ୍ୟ ଅପଲୋଡ କରନ୍ତୁ । ବିଭାଗୟୀ ଯାଞ୍ଚ ପରେ କ୍ଷତିର ପରିମାଣ ଅନୁଯାୟୀ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ ବୋଲି ପରିଚ୍ଛା କହିଛନ୍ତି।