ହାସିନାଙ୍କ ପ୍ରତ୍ୟର୍ପଣ ଦାବିକଲା ବିଏନ୍‌ପି: ଆଜି ଶପଥ ନେବେ ତାରିକ୍‌ ରହମାନ

ଢାକା,୧୪ା୨(ପି.ଟି./ଏଜେନ୍ସି):୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ଅଗଷ୍ଟ ୫ରେ ହାସିନା ଦେଶ ଛାଡ଼ି ଭାରତକୁ ପଳାୟନ କରି ନୂଆଦିଲ୍ଲୀର ଶରଣ ନେଇଥିଲେ। ୨୦୨୫ ନଭେମ୍ବରରେ ଢାକାସ୍ଥିତ ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ମାନବତା ବିରୋଧରେ ଅପରାଧ ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଇତିମଧ୍ୟରେ ନୂଆଦିଲ୍ଲୀରେ ହାସିନାଙ୍କ ଅବସ୍ଥାନକୁ ୧୮ ମାସ ବିତିଯାଇଥିବାବେଳେ ଗୁରୁବାର ବାଂଲାଦେଶରେ ତ୍ରୟୋଦଶ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଜାତୀୟ ସଂସଦର ୩୦୦ ଆସନ ମଧ୍ୟରୁ ୨୯୭ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିବାବେଳେ ୨ଟି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ବାଂଲାଦେଶ ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶିତ ଫଳାଫଳ ଅନୁସାରେ ତାରିକ୍‌ ରହମାନ ନିର୍ବାଚନ ଲଢ଼ିଥିବା ଉଭୟ ଚିଟ୍ଟାଗଙ୍ଗ-୨ ଓ ଚିଟ୍ଟାଗଙ୍ଗ-୪ ସଂସଦୀୟ ଆସନରେ ବିଜୟ ଲାଭ କରିଥିବାବେଳେ ତାଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି)କୁ ୨୧୨ ଆସନରେ ସଫଳତା ମିଳିଛି। ଇସ୍‌ଲାମାବାଦ୍‌ର ଘନିଷ୍ଠ କଠୋରପନ୍ଥୀ ଦଳ ଜାମିଆତ୍‌-ଇ-ଇସ୍‌ଲାମି ୭୫ ଆସନରେ ବିଜୟୀ ହୋଇଛି। ହାସିନାଙ୍କ ଦଳକୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ବାସନ୍ଦ କରାଯାଇଥିଲା। ତାରିକ୍‌ ଶନିବାର ଦେଶର ନୂଆ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବେ। ସେ ନୋବେଲ ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ୟୁନୁସ୍‌ଙ୍କ ଅମଳରେ ଢାକା ଓ ନୂଆଦିଲ୍ଲୀ ମଧ୍ୟରେ କୂଟନୈତିକ ସମ୍ପର୍କ ଅଧିକ ତିକ୍ତତାପୂର୍ଣ୍ଣ ହୋଇଯାଇଥିବାବେଳେ ବାଂଲାଦେଶ ନିର୍ବାଚନ ଉପରେ ଭାରତର ନଜର ରହିଥିଲା। ଫଳାଫଳ ଆସିବାରେ ଲାଗିଥିବାବେଳେ ବିଏନ୍‌ପିର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିକ୍‌ଙ୍କୁ ଫୋନ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ଐତିହାସିକ ଓ ସାଂସ୍କ୍‌ୃତିକ ଭାବେ ପରସ୍ପର ସହ ଜଡ଼ିତ ଦୁଇ ପଡ଼ୋଶୀ ଦେଶ ଶାନ୍ତି, ପ୍ରଗତି ଓ ସୌହାର୍ଦ୍ଦ୍ୟ ଦିଗରେ ଅଗ୍ରସର ହେବେ ବୋଲି ପ୍ରଧାନମନ୍ତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷେ ବିଏନ୍‌ପି ଭାରତରେ ଆଶ୍ରୟ ନେଇଥିବା ହାସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ଦୋହରାଇଛି। ବରିଷ୍ଠ ବିଏନ୍‌ପି ନେତା ସଲାହୁଦ୍ଦିନ ଅହମଦ କହିଛନ୍ତି, ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଭାରତକୁ ଅନୁରୋଧ କରିସାରିଛନ୍ତି।
ଆଇନ ଅନୁଯାୟୀ ଭାରତ ତାଙ୍କୁ ପ୍ରତ୍ୟର୍ପଣ କଲେ ହାସିନା ନିଜ ଦେଶରେ ବିଚାରର ସମ୍ମୁଖୀନ ହେବେ। ବାଂଲାଦେଶ ଭାରତ ସହ ସ୍ବାଭାବିକ ସମ୍ପର୍କ ଚାହେଁ, କିନ୍ତୁ ସମାନ ସର୍ତ୍ତରେ। ପାରସ୍ପରିକ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ପାଇଁ ଏହା ଜରୁରୀ ବୋଲି ସେ ମତ ଦେଇଛନ୍ତି। ବିଏନ୍‌ପିର ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ୨୦୨୬ ନିର୍ବାଚନରେ ଦଳର ମୁଖ୍ୟ କୋ-ଅର୍ଡିନେଟର ନଜରୁଲ ଇସ୍‌ଲାମ ଖାନ୍‌ ମୋଦି ନୂଆ ନେତା ରହମାନ୍‌ ଏବଂ ଲୋକଙ୍କ ବିଜୟକୁ ସ୍ବୀକୃତି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇତିମଧ୍ୟରେ ବାଂଲାଦେଶରେ ଭାରତ ବିରୋଧୀ ମନୋଭାବ ଉଗ୍ରରୂପ ଧାରଣ କରିବା ସହ ବହୁ ହିନ୍ଦୁଙ୍କୁ ହତ୍ୟା କରାଯାଇଥିବାରୁ ନୂଆ ସରକାରଙ୍କ ସହ ନୂଆଦିଲ୍ଲୀର ସମ୍ପର୍କ କିଭଳି ରହିବ ତା’ ଉପରେ ଏସିଆ ସମେତ ବିଶ୍ୱର ନଜର ରହିବ।

 

Dharitri – Odisha’s No.1 Odia Daily

 

Share