ଆହୁରି ବଢିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ: ବ୍ଲୁ କର୍ନର୍‌ ନୋଟିସ ଜାରି

ନୂଆଦିଲ୍ଲୀ,୫।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌ ନୋଟିସ ଜାରି କରାଯାଇଥିବା କର୍ନାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି। ପରମେଶ୍ୱରଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ, ପ୍ରଜ୍ୱଳଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଇଣ୍ଟରପୋଲର ସହାୟତା ନିଆଯାଉଛି। ଏହା ବ୍ୟତୀତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ମଧ୍ୟ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଛି।

ପ୍ରଜ୍ୱଳ ହେଉଛନ୍ତି ଏଚ.ଡି ରେଭନ୍ନାଙ୍କ ପୁଅ। ୩୩ ବର୍ଷୀୟ ପ୍ରଜ୍ୱଳ ୨୦୧୯ ସାଧାରଣ ନିର୍ବାଚନ ବେଳେ ହାସନ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ଆସନରେ ଚଳିତ ମାସ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗ୍ରହଣ ଚାଲିଥିବାବେଳେ ପ୍ରଜ୍ୱଳଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ପୋଲିଂ ଏଜେଣ୍ଟ ଏହାକୁ ଜାଲ ଭିଡିଓ କହି ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତମାନେ ଘର ଘର ବୁଲି ଏହି ଭିଡିଓକୁ ଲୋକଙ୍କୁ ଦେଖାଇବା ସହ ପ୍ରଜ୍ୱଳଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଥିଲେ। ଭିଡିଓରେ ଥିବା ମହିଳାମାନଙ୍କୁ ପ୍ରଜ୍ୱଳ ନିଜେ ଡକାଇବା ସହ ଯୌନସମ୍ପର୍କ ରଖିଥିଲେ। ସେ ସେମାନଙ୍କ ବିନା ଅନୁମତିରେ ଏହାର ଭିଡିଓ ଶୁଟିଂ କରାଇଥିବା ଅଭିଯୋଗ ଆସିଛି। କର୍ନାଟକ ମହିଳା କମିଶନ ଅଧ୍ୟକ୍ଷା ନାଗଲକ୍ଷ୍ମୀ ଚୌଧରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର କଂଗ୍ରେସ ସରକାର ଏହାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ୍ସ’ରେ ସୂଚନା ଦେଇଛନ୍ତି। ଏହି ଘଟଣାକ୍ରମ ପରେ ପ୍ରଜ୍ୱଳ ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଭଳି ସମୟରେ ଜେଡିଏସ ସହ ମେଣ୍ଟ କରି ଲଢ଼ୁଥିବା ଭାଜପା ଏହି ବିବାଦରୁ ଦୂରତ୍ୱ ଅବଲମ୍ବନ କରିଛି। ଗତବର୍ଷ ସେପ୍ଟେମ୍ବରରେ ଜେଡିଏସ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ଭାଜପା ସହିତ ମେଣ୍ଟ କରିଥିଲା।